ବାଂଶପାଳ: ଖାଲଖମାରେ ଭର୍ତ୍ତି ହୋଇପଡ଼ିଥିବା ରାସ୍ତାର ମରାମତି ଓ ନିର୍ମାଣ ଦାବିରେ ତାତିଛନ୍ତି ସ୍ଥାନୀୟ ଲୋକେ। ସମସ୍ୟାର ସମାଧାନ ଦାବିରେ ଦୁଇ ଦିନ ଧରି ରାସ୍ତାରୋକ କରିଛନ୍ତି ଲୋକେ। ଫଳରେ ହଜାର ହଜାର ଭାରୀଯାନ ରାସ୍ତାରେ ଅଟକି ରହିଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଫୁଲଝର-ଜଗଦଳା ରାସ୍ତାରେ ଏଭଳି ସ୍ଥିତି ଉପୁଜିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତାର ଦୁରବସ୍ଥା ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ। ଶେଷରେ ଲୋକେ ବାଧ୍ୟ ହୋଇ ଫୁଲଝର ନିକଟରେ ରାସ୍ତାରୋକ କରିଛନ୍ତି। ଏହା ଯୋଗୁଁ ଫୁଲଝର-ଜଗଦଳା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।
ରାସ୍ତା ମରାମତି ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଲୋକେ ଜିଦ୍ ଧରିଛନ୍ତି। ରାସ୍ତାରୋକ ଯୋଗୁଁ ରାଜପଥରେ ହଜାର ହଜାର ଗାଡ଼ି ଅଟକି ରହିବା ସହ ଜନଜୀବନ ପ୍ରଭାବିତ ହୋଇଛି।
ଭାରୀଯାନ ଚଳାଚଳରେ ରାସ୍ତାର ଦୁରବସ୍ଥା
ଏହି ରାସ୍ତା ଦେଇ ଆରଡେଣ୍ଟ ଷ୍ଟିଲ୍ର ଫୁଲଝର ଏବଂ ଶ୍ରୀ ମେଟାଲିକ୍ର ଅଁରା କାରଖାନାକୁ ପ୍ରତିଦିନ ହଜାର ହଜାର ଲୁହାପଥର ବୋଝେଇ ଟ୍ରକ୍ ଯାତାୟାତ କରୁଛି। ଲଗାତାର ଭାରୀଯାନ ଚଳାଚଳ ଯୋଗୁଁ ପ୍ରାୟ ୧୦ କିଲୋମିଟର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି।
ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଯାତାୟାତ ବିପଜ୍ଜନକ ହୋଇପଡ଼ିଛି। ବିଶେଷକରି ରୋଗୀ, ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ଏହି ରାସ୍ତାରେ ଯାତାୟାତ କରିବାକୁ ଭୟ କରୁଛନ୍ତି।
ପ୍ରଶାସନ ପକ୍ଷରୁ ତୁରନ୍ତ ରାସ୍ତା ମରାମତି ସହ ସ୍ଥାୟୀ ସମାଧାନ କରାଯାଉ ବୋଲି ଦାବି କରି ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।




