କଟକ: ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ବିରୋଧ କରି ଓଡ଼ିଶା ସରକାର ହାଇକୋର୍ଟରେ ଆପତ୍ତି ସତ୍ୟପାଠ ଦାଖଲ କରିଛନ୍ତି। ମଦନ ମୋହନ ଦଳାଇଙ୍କ ସମେତ ଅନ୍ୟ ୫ ଅଭିଯୁକ୍ତଙ୍କ ପକ୍ଷରୁ ଦାୟର ନିୟମିତ ଜାମିନ ଆବେଦନ ଉପରେ ସରକାରଙ୍କ ପକ୍ଷରୁ ଏହି ଆପତ୍ତି ଉଠାଯାଇଛି।
ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠଗୁଡ଼ିକୁ ରେକର୍ଡଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୬ଟି ଯାକ ଜାମିନ ଆବେଦନର ଏକତ୍ର ଶୁଣାଣି ଆସନ୍ତା ନଭେମ୍ବର ୧୧ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।
ଜାମିନ ଆବେଦନ କରିଥିବା ୬ ଅଭିଯୁକ୍ତ ହେଲେ ମଦନ ମୋହନ ଦଳାଇ, ସୁନୀଲ କୁମାର ହୋତା, ଶିବଶଙ୍କର ଦାଶ ଓରଫ ପିଣ୍ଟୁ, ଯୋଗେନ୍ଦ୍ର ରାଉତ ଓରଫ ଯୋଗୀ, ବିପିନ ସ୍ୱାଇଁ ଏବଂ କାଳୁଚରଣ ଭୂୟାଁ ଓରଫ କାଳୁ।
ଉଲ୍ଲେଖଯୋଗ୍ୟ, ଏହି ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଗଷ୍ଟ ୩୧ ତାରିଖରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଏବେ ଅନ୍ୟ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ନଭେମ୍ବର ୧୧ରେ ଶୁଣାଣି ହେବ।
ସୂଚନାଯୋଗ୍ୟ, ୨୦୨୫ ଅକ୍ଟୋବର ୬ ତାରିଖରେ ବ୍ରହ୍ମପୁରର ବୈକୁଣ୍ଠନଗରସ୍ଥିତ ବାସଭବନ ନିକଟରେ ପୀତବାସ ପଣ୍ଡାଙ୍କୁ ଦୁଇଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାରେ ପୁଲିସ ୧୬ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ମାମଲାରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଓ ଅସ୍ତ୍ରଶସ୍ତ୍ର ଆଇନ ସମ୍ବନ୍ଧୀୟ ଧାରା ଲାଗିଛି।




