କାଶୀପୁର: ରାୟଗଡ଼ା ଜିଲ୍ଲାରେ ଶାଳକାଠ ଚୋରା ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ବନ ବିଭାଗ। ଲେଲିଗୁମା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି ୭୪ ଖଣ୍ଡ ସାଇଜ୍ ଶାଳକାଠ ବୋଝେଇ ଏକ ମହିନ୍ଦ୍ରା ପିକଅପ୍ ଜବତ କରାଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଟିକିରି ଓ ରାୟଗଡ଼ା ବନାଞ୍ଚଳର କର୍ମଚାରୀମାନେ ମିଳିତ ଭାବେ ଲେଲିଗୁମା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଶିରିପାଇ ପଞ୍ଚାୟତର କିଚିଖାଲ ଅଞ୍ଚଳରୁ ଆସୁଥିବା ଏକ ପିକଅପ୍ ଗାଡ଼ିକୁ ବାଲାକାପାଇ ଗ୍ରାମ ନିକଟ ଖରକାନାଳ ପାଖରେ ସନ୍ଦେହରେ ଅଟକାଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରୁ ୭୪ ଖଣ୍ଡ ସାଇଜ୍ ଶାଳକାଠ ମିଳିଥିଲା।
ତିନି ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ
ଏହି ଘଟଣାରେ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ ଲିମାଡୋର ଗ୍ରାମର ମିଥୁନ ନାୟକ, ଦାଶ ମାଝି ଓ ଗଣପତି ମାଝିଙ୍କୁ ଗିରଫ କରାଯାଇଛି। ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
ବନ ବିଭାଗର ପଚରାଉଚରା ବେଳେ ଜବତ ଶାଳକାଠ ଖୁରିଗାଁ ଅଞ୍ଚଳକୁ ଚାଲାଣ କରାଯାଉଥିବା ଅଭିଯୁକ୍ତମାନେ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ
ଟିକିରି ବନାଞ୍ଚଳ ଅଧିକାରୀ ତଥା ରାୟଗଡ଼ା ବନାଞ୍ଚଳର ଅତିରିକ୍ତ ଦାୟିତ୍ୱରେ ଥିବା ଅନୀଲ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଟିକିରି, ଲେଲିଗୁମା ଓ ଗୁମ୍ମା ବନାଞ୍ଚଳର କର୍ମଚାରୀଙ୍କ ସହ ଭ୍ରାମ୍ୟମାଣ ୟୁନିଟ୍ ଏଥିରେ ସାମିଲ ଥିଲେ।
ଏହି ଘଟଣାରେ ୮୧/୨୬ ନମ୍ବରରେ ମାମଲା ରୁଜୁ ହୋଇଛି। କାଠ ଚାଲାଣରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ମଧ୍ୟରେ ଟିକିରି ଓ ରାୟଗଡ଼ା ବନାଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବନ୍ୟପ୍ରାଣୀଙ୍କ ଅବଶେଷ ଓ ଅବୈଧ ଖଣିଜ ପଦାର୍ଥ ଚାଲାଣ ସହ ସମ୍ପୃକ୍ତ ଗାଡ଼ି ଜବତ ହୋଇଥିବା ବନ ବିଭାଗର ସୂଚନାରେ କୁହାଯାଇଛି।




