ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟ ରେ ପ୍ରସ୍ତାବିତ ଇକୋ ଟୁରିଜିମ୍ ପ୍ରକଳ୍ପକୁ ନେଇ ବିବାଦ ଜୋର ଧରିଛି। ହଜାର ହଜାର ପୁରାତନ ଶାଳ ଓ ଅନ୍ୟ ମୂଲ୍ୟବାନ ବୃକ୍ଷ କଟାଯିବ ବୋଲି ଖବର ପ୍ରଚାର ହେବା ପରେ ପରିବେଶପ୍ରେମୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ସୂଚନା ଅନୁଯାୟୀ, ଇକୋ ଟୁରିଜିମ୍ ପାଇଁ ପ୍ରାୟ ୨୦ ଏକର ଜମି ଆବଶ୍ୟକ ହେବାରୁ ସେଥିପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଜମିକୁ IDCO କୁ ହସ୍ତାନ୍ତର କରାଯିବାର ଯୋଜନା ରହିଛି। ମୟୂରଭଞ୍ଜ ଜିଲ୍ଲାର ଯଶିପୁର ତହସିଲ ଅନ୍ତର୍ଗତ କଳିକାପ୍ରସାଦ ଫାଟକ ନିକଟରେ ଏହି ପ୍ରକଳ୍ପ ହେବାକୁ ଥିବା ବେଳେ, ଗଛ ଚିହ୍ନଟ କରି ମାର୍କିଂ କରାଯାଇଥିବା ଖବର ମିଳିଛି।
ଏହି ଅଞ୍ଚଳରେ ଶହ ଶହ ବର୍ଷ ପୁରୁଣା ଶାଳ ଗଛ ଥିବାରୁ ସେଗୁଡ଼ିକ କଟାଯିବା ନେଇ ପ୍ରଶ୍ନ ଉଠିଛି। ପରିବେଶ ସୁରକ୍ଷା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏପରି ପଦକ୍ଷେପ ଶିମିଳିପାଳର ପରିବେଶ ସନ୍ତୁଳନକୁ କ୍ଷତି କରିପାରେ ବୋଲି ଅଭିଯୋଗ ହେଉଛି।
ତଥାପି ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଗଛଗୁଡ଼ିକ କେବଳ ଚିହ୍ନଟ କରାଯାଇଛି, କଟାଯିବ କି ନାହିଁ ସେନେଇ ଶେଷ ନିଷ୍ପତ୍ତି ହୋଇନାହିଁ। ବିକଳ୍ପ ଜମି ଚୟନ ପ୍ରକ୍ରିୟା ମଧ୍ୟ ଚାଲିଥିବା କଥା କୁହାଯାଇଛି।
ଏପରି ସ୍ଥିତିରେ ସ୍ଥାନୀୟ ସଂଗଠନ ଓ ପରିବେଶପ୍ରେମୀମାନେ ଗଛ କଟା ବନ୍ଦ କରି ଅନ୍ୟ ସ୍ଥାନରେ ପ୍ରକଳ୍ପ କରିବାକୁ ଦାବି କରୁଛନ୍ତି। ସେମାନଙ୍କ ମତରେ, ଶିମିଳିପାଳ ଭଳି ସେନ୍ସିଟିଭ୍ ବନ୍ୟଜନ୍ତୁ ଅଭୟାରଣ୍ୟର ସୁରକ୍ଷାକୁ ପ୍ରାଥମିକତା ଦେବା ଆବଶ୍ୟକ।




