ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ପ୍ରସ୍ତାବିତ ଆଣବିକ ଶକ୍ତି ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧ ତୀବ୍ର ହେବାରେ ଲାଗିଛି। ଏହି ପ୍ରକଳ୍ପ ବିରୋଧରେ ଗୁରୁବାର ଅଞ୍ଚଳଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ହିର୍ମିମୁଣ୍ଡାଠାରେ ଆୟୋଜିତ ସମାବେଶରେ ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ୧୦ଟି ପଞ୍ଚାୟତର ହଜାର ହଜାର ଲୋକ ସାମିଲ ହୋଇଥିଲେ।
ପ୍ରକଳ୍ପ ପାଇଁ ସର୍ଭେ ଓ ସ୍ଥାନ ଚିହ୍ନଟ ହୋଇଥିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ପୂର୍ବରୁ ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ଏହାକୁ ବିରୋଧ କରି ପଦଯାତ୍ରା ଓ ବିକ୍ଷୋଭ ହୋଇଥିବାବେଳେ ଏବେ କଳାହାଣ୍ଡି ଜିଲ୍ଲାର ବାସିନ୍ଦା ମଧ୍ୟ ଏହି ଆନ୍ଦୋଳନରେ ଯୋଗ ଦେଇଛନ୍ତି।
ପ୍ରତିବାଦକାରୀଙ୍କ ଆଶଙ୍କା, ଆଣବିକ ପ୍ରକଳ୍ପ ନିର୍ମାଣ ହେଲେ ଅଞ୍ଚଳର ଜଳସମ୍ପଦ, ଚାଷଜମି, ଜଙ୍ଗଲ ଓ ସ୍ଥାନୀୟ ଲୋକଙ୍କ ଜୀବିକା ପ୍ରଭାବିତ ହୋଇପାରେ। ଏହାସହ ଜନସ୍ୱାସ୍ଥ୍ୟ ଉପରେ ସମ୍ଭାବ୍ୟ ପ୍ରଭାବକୁ ନେଇ ମଧ୍ୟ ସେମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ପ୍ରକଳ୍ପ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଆବଶ୍ୟକ ତଥ୍ୟ ଦିଆଯାଉନଥିବା ଏବଂ ଜମି ଅଧିଗ୍ରହଣ ଓ ସର୍ଭେକୁ ନେଇ ସ୍ପଷ୍ଟତା ନଥିବା ଅଭିଯୋଗ ମଧ୍ୟ ଉଠିଛି।
ସମାବେଶରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ରମେଶ ମାଝୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଯୋଗଦେଇଥିଲେ। ଆଦିବାସୀଙ୍କ ଜମି ଓ ଅଧିକାରର ସୁରକ୍ଷା ସହ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କିତ ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ ସେମାନେ ଦାବି କରିଥିଲେ।
ଆଗାମୀ ଦିନରେ ପ୍ରକଳ୍ପ ନିର୍ମାଣ ଦିଗରେ ପଦକ୍ଷେପ ନିଆଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ପ୍ରତିବାଦକାରୀ ଚେତାବନୀ ଦେଇଛନ୍ତି। ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବାକୁ ମଧ୍ୟ ଦୁଇ ବିଧାୟକ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ତେନ୍ତୁଳିଖୁଣ୍ଟିରେ ପ୍ରସ୍ତାବିତ ଆଣବିକ ପ୍ରକଳ୍ପକୁ ନେଇ ଚର୍ଚ୍ଚା ଓ ବିରୋଧ ଜାରି ରହିଥିବାବେଳେ ଏହାର ଚୂଡ଼ାନ୍ତ ଅନୁମୋଦନ ସମ୍ପର୍କରେ ସ୍ପଷ୍ଟତା ଆସିନାହିଁ। ତେଣୁ ପ୍ରକଳ୍ପର ସ୍ଥିତି ଓ ଏହାର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି।




