ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନରୁ ତିନିଜଣ ନିଖୋଜ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ସରକାରୀ ରେଳବାଇ ପୁଲିସ (ଜିଆରପି)। ପରବର୍ତ୍ତୀ ସମୟରେ ଶିଶୁ କଲ୍ୟାଣ ସମିତି (CWC)ର କାଉନସେଲିଂ ପରେ ସେମାନଙ୍କୁ ପରିବାର ଲୋକଙ୍କ ନିକଟରେ ହସ୍ତାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲାର ଟିକିରି ଥାନା ଅନ୍ତର୍ଗତ ଟିକିରି ଦଳିତ ସାହିର ତିନିଜଣ ଶିଶୁ—ଗୁଡୁ, ସଞ୍ଜୟ ଓ ପ୍ରିତମ—ଘରୁ ବାହାରି ବୁଲିବାକୁ ଯାଇଥିଲେ। ପରିବାରକୁ ଫେରିବା କଥା କହିଥିଲେ ମଧ୍ୟ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ।

ସେମାନଙ୍କର କୌଣସି ସନ୍ଧାନ ନ ମିଳିବାରୁ ପରିବାର ପକ୍ଷରୁ ଟିକିରି ଥାନାରେ ନିଖୋଜ ଅଭିଯୋଗ ଦାଖଲ କରାଯାଇଥିଲା। ଏହା ପରେ ଟିକିରି ପୁଲିସ ବିଭିନ୍ନ ଥାନା ଏବଂ ସଂପୃକ୍ତ ବିଭାଗକୁ ସତର୍କ କରିଥିଲା।

ନିୟମିତ ଯାଞ୍ଚ ସମୟରେ ରାୟଗଡ଼ା ରେଳ ଷ୍ଟେସନରେ ପ୍ଲାଟଫର୍ମରେ ରହିଥିବା ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସରୁ ଜିଆରପି ତିନିଜଣ ଶିଶୁଙ୍କୁ ଉଦ୍ଧାର କରିଥିଲା। ପଚରାଉଚରା ସମୟରେ ସେମାନେ ବୁଲିବା ଉଦ୍ଦେଶ୍ୟରେ ଆସିଥିବା କହିଥିଲେ।

ପରେ ଶିଶୁ କଲ୍ୟାଣ ସମିତି ସଦସ୍ୟମାନେ ଥାନାରେ ପହଞ୍ଚି ଶିଶୁମାନଙ୍କ କାଉନସେଲିଂ କରିଥିଲେ। ପରିବାର ଲୋକଙ୍କୁ ସୂଚନା ଦିଆଯାଇବା ପରେ ସେମାନେ ରାୟଗଡ଼ା ଜିଆରପି ଥାନାରେ ପହଞ୍ଚି ଶିଶୁମାନଙ୍କୁ ସୁରକ୍ଷିତ ଭାବେ ଘରକୁ ନେଇଯାଇଥିବା ଜଣାପଡ଼ିଛି।