ମୁମ୍ବାଇ: ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କୁ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୫୭ତମ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI) ର ‘ଫେଷ୍ଟିଭାଲ ଡାଇରେକ୍ଟର’ ବା ମହୋତ୍ସବ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଶୁକ୍ରବାର ଦିନ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି।

ଆଶୁତୋଷ ଗୋୱାରିକର ‘ଲଗାନ’, ‘ସ୍ଵଦେଶ’ ଏବଂ ‘ଯୋଧା ଆକବର’ ପରି ସମାଲୋଚକଙ୍କ ଦ୍ୱାରା ପ୍ରଶଂସିତ ଏବଂ ବ୍ୟବସାୟିକ ଭାବେ ସଫଳ ଚଳଚ୍ଚିତ୍ର ପାଇଁ ଜଣାଶୁଣା। ତାଙ୍କ କାର୍ଯ୍ୟଗୁଡ଼ିକ ପ୍ରାୟତଃ ଦୃଢ଼ କାହାଣୀ, ଐତିହାସିକ ଗଭୀରତା ଏବଂ ସାମାଜିକ ବିଷୟବସ୍ତୁ ଉପରେ ଆଧାରିତ। ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଲଗାନ’ ଶ୍ରେଷ୍ଠ ବିଦେଶୀ ଭାଷା ଚଳଚ୍ଚିତ୍ର ବିଭାଗରେ ଏକାଡେମୀ ଆୱାର୍ଡ (ଅସ୍କାର) ପାଇଁ ମନୋନୀତ ହୋଇଥିଲା। ତେବେ ଏହା ବୋସନିଆର ଚଳଚ୍ଚିତ୍ର ‘ନୋ ମ୍ୟାନ୍ସ ଲ୍ୟାଣ୍ଡ’ ନିକଟରୁ ପରାଜିତ ହୋଇଥିଲା।

ଏହି ସମ୍ମାନଜନକ ଦାୟିତ୍ୱ ପାଇବା ପରେ ନିର୍ଦ୍ଦେଶକ କହିଛନ୍ତି, “ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୫୭ତମ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ନିର୍ଦ୍ଦେଶକ ଭାବରେ ସେବା କରିବା ମୋ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ବିଷୟ। ମୁଁ ଏହି ମହୋତ୍ସବର ବିବର୍ତ୍ତନର ସାକ୍ଷୀ ରହିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ୧୯୮୪ ମସିହାରେ ଏଥିରେ ଯୋଗଦେବା ଠାରୁ ଆରମ୍ଭ କରି ୨୦୨୪ ମସିହା ପର୍ଯ୍ୟନ୍ତ ମୋର ସମ୍ପର୍କ ଜାରି ରହିଛି, ଯେଉଁଠାରେ ମୁଁ ଆନ୍ତର୍ଜାତୀୟ ସିନେମା ପାଇଁ ଜୁରି ପ୍ରେସିଡେଣ୍ଟ ଭାବରେ କାର୍ଯ୍ୟ କରିଥିଲି।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୯୫୨ ମସିହାରୁ ଅଗଣିତ ଟିମ୍ ଦ୍ୱାରା ଗଢ଼ିଉଠିଥିବା ଏହି ପରମ୍ପରାକୁ ଆଗକୁ ନେବା ଏକ ବଡ଼ ସମ୍ମାନ ଏବଂ ଏହା ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଆସିଛି। ସେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଗୋଆ ସରକାରଙ୍କ ସହ ମିଶି କାର୍ଯ୍ୟ କରିବାକୁ ଉତ୍ସାହିତ ଅଛନ୍ତି।

୧୯୫୨ ମସିହାରେ ପ୍ରତିଷ୍ଠିତ ଏହି ମହୋତ୍ସବ ଏସିଆର ଅନ୍ୟତମ ପ୍ରମୁଖ ଚଳଚ୍ଚିତ୍ର ମହୋତ୍ସବ। ଏହା ବିଶ୍ୱ ସିନେମାର ଉତ୍କୃଷ୍ଟତାକୁ ପ୍ରଦର୍ଶନ କରିବା ସହ ସାଂସ୍କୃତିକ ଆଦାନପ୍ରଦାନ ପାଇଁ ଏକ ବଡ଼ ମଞ୍ଚ ପ୍ରଦାନ କରିଥାଏ।ସୂଚନାଯୋଗ୍ୟ ଯେ, ଗୋୱାରିକର ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଫିଚର ଫିଲ୍ମ ଜୁରିର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।