ଯୋଧପୁର: ଚଳଚ୍ଚିତ୍ର ପ୍ରଯୋଜକ ଅମିତ ଜାନୀଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ତାଙ୍କର ଆଗାମୀ ଚଳଚ୍ଚିତ୍ର “କଳା ହରିଣ” (Kala Hiran) କୁ ନେଇ ଏହି ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ସେ ରାଜସ୍ଥାନର ଯୋଧପୁରସ୍ଥିତ ରତନାଡା ଥାନାରେ ଏକ FIR ଦାୟର କରିଛନ୍ତି।
ଅମିତ ଜାନୀଙ୍କ କହିବା ଅନୁଯାୟୀ, ଶେହଜାଦ ଭଟ୍ଟି ନାମକ ଜଣେ ପାକିସ୍ତାନ ଭିତ୍ତିକ ବ୍ୟକ୍ତି ତାଙ୍କୁ ଫୋନ୍ କଲ୍ ଏବଂ ମେସେଜ୍ ଜରିଆରେ କ୍ରମାଗତ ଭାବେ ଧମକ ଦେଉଛି। ଚଳଚ୍ଚିତ୍ର ନିର୍ମାଣରୁ ଓହରି ନଗଲେ ଗୁରୁତର ପରିଣାମ ଭୋଗିବାକୁ ହେବ ବୋଲି ସେ ଚେତାବନୀ ଦେଇଛି। ଏପରିକି ଅସ୍ତ୍ରଶସ୍ତ୍ରର ଫଟୋ ପଠାଇ ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି।
ପ୍ରଯୋଜକ ଜଣକ ଗଣମାଧ୍ୟମକୁ କହିଛନ୍ତି ଯେ, “ଉଦୟପୁର ଫାଇଲ୍ସ” ଏବଂ “କଳା ହରିଣ” ଭଳି ସିନେମା ପାଇଁ ବିଗତ ଦୁଇ ବର୍ଷ ହେବ ତାଙ୍କୁ ବୋମା ବିସ୍ଫୋରଣ, ଡ୍ରୋନ୍ ଆଟାକ୍ ଏବଂ ଶିରଚ୍ଛେଦ ଭଳି ଭୟଙ୍କର ଧମକ ମିଳୁଛି। ପୂର୍ବରୁ ସୁରକ୍ଷା ବିପତ୍ତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କୁ CRPF ସହିତ Y-ଶ୍ରେଣୀର ସୁରକ୍ଷା ଯୋଗାଇ ଦେଇଛନ୍ତି।
ଏହି ଧମକ ପରେ ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ରାଜସ୍ଥାନ DGP ରାଜୀବ କୁମାର ଶର୍ମା ଏବଂ ଯୋଧପୁର ପୋଲିସ କମିଶନରଙ୍କ ସମେତ ଅନେକ ଏଜେନ୍ସି ନିକଟରେ ଅଭିଯୋଗ କରି ଅଧିକ ସୁରକ୍ଷା ମାଗିଛନ୍ତି। ତେବେ ଏତେ ସବୁ ଧମକ ସତ୍ତ୍ୱେ ସେ ସିନେମା କାମ ବନ୍ଦ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ପୋଲିସ ଏହି ଅଭିଯୋଗର ଯାଞ୍ଚ ଆରମ୍ଭ କରିଛି।




