ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନ ନିଜର “ବ୍ୟକ୍ତିତ୍ୱ ଅଧିକାର”ର ଉଲ୍ଲଂଘନ ଅଭିଯୋଗ କରି ‘କାଲା ହିରନ୍: ଦି ବ୍ୟାଟେଲ୍ ଫର୍ ଲେଗାସି’ (Kala Hiran: The Battle for Legacy) ଚଳଚ୍ଚିତ୍ରର ନିର୍ମାତାମାନଙ୍କ ବିରୋଧରେ ଜରୁରୀକାଳୀନ ଅନ୍ତରୀଣ ସହାୟତା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।ତାଙ୍କ ଅଭିଯୋଗ ଅନୁଯାୟୀ, ଏହି ଫିଲ୍ମଟି ୧୯୯୮ ମସିହାର ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲା ଉପରେ ଆଧାରିତ। ଚଳଚ୍ଚିତ୍ରରେ ତାଙ୍କ ନାମ ସିଧାସଳଖ ନିଆଯାଇ ନଥିଲେ ମଧ୍ୟ, ଏହାର ଚରିତ୍ର ଚିତ୍ରଣ ସଲମାନଙ୍କୁ ସହଜରେ ଚିହ୍ନଟ କରୁଛି।

ସଲମାନ ଖାନଙ୍କ ପକ୍ଷରୁ କୋର୍ଟରେ ଦେୱାନୀ କାର୍ଯ୍ୟବିଧି ସଂହିତା (CPC) ର ‘ଅର୍ଡର ୩୯ ରୁଲ୍ ୧ ଏବଂ ୨’ ଅଧୀନରେ ଏକ ଆବେଦନ ଦାଖଲ କରାଯାଇଛି। ବିବାଦର ଚୂଡ଼ାନ୍ତ ସମାଧାନ ନହେବା ପର୍ଯ୍ୟନ୍ତ ଫିଲ୍ମର ପ୍ରଯୋଜକ ଅମିତ ଜାନୀ, ଜାନୀ ଫାୟାରଫକ୍ସ ଫିଲ୍ମସ, ନିର୍ଦ୍ଦେଶକ ଭରତ ଶ୍ରୀନାଥ, ଅକ୍ଷୟ ପାଣ୍ଡେ ଏବଂ ଅନ୍ୟମାନଙ୍କୁ ଏହାର ନିର୍ମାଣ, ପ୍ରଚାର, ବିତରଣ କିମ୍ବା ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ଏଥିରେ ଅନୁରୋଧ କରାଯାଇଛି।

ସଲମାନଙ୍କ ପକ୍ଷରୁ ଦର୍ଶାଯାଇଛି ଯେ, ଗତ ଏପ୍ରିଲ ୨୪, ୨୦୨୬ ରେ ଚଳଚ୍ଚିତ୍ର ନିର୍ମାଣ ବନ୍ଦ କରିବାକୁ ଏକ ଆଇନଗତ ନୋଟିସ୍ ଦିଆଯାଇଥିଲେ ମଧ୍ୟ ଫିଲ୍ମର ପୋଷ୍ଟର, ଟ୍ରେଲର ଏବଂ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ତାଙ୍କ ପରିଚୟକୁ ବ୍ୟବହାର କରାଯାଉଛି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସହ ଜଡ଼ିତ ବିବାଦ ଏବଂ ତାଙ୍କ ଅତୀତର ଘଟଣାକୁ ଆଧାର କରି ଫିଲ୍ମର ପବ୍ଲିସିଟି କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଫିଲ୍ମର ପୋଷ୍ଟରରେ ଥିବା ଏକ ଚରିତ୍ର ସଲମାନଙ୍କ ଭଳି ଦେଖାଯାଉଥିବା ବେଳେ ସେଥିରେ ଅଭିନେତାଙ୍କ ପରିଚୟ ସାଜିଥିବା ‘ନୀଳ ରଙ୍ଗର ବ୍ରେସଲେଟ୍’ ମଧ୍ୟ ଦେଖିବାକୁ ମିଳିଛି। ଏହାସହ ଅଭିନେତା ବନ୍ଧୁକ ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ସୁଦ୍ଭା ପୋଷ୍ଟରରେ ଚରିତ୍ରଟି ହାତରେ ରାଇଫଲ୍ ଧରିଥିବା ଦେଖାଯାଇଛି, ଯାହା ଭ୍ରମାତ୍ମକ ବୋଲି ଆବେଦନରେ କୁହାଯାଇଛି।

-୨୦୧୮ ମସିହାରେ ଯୋଧପୁରର ଏକ କୋର୍ଟ ସଲମାନ ଖାନଙ୍କୁ ଏହି ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ କରି ୫ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ, ଯାହା ବିରୋଧରେ ଆବେଦନ ବର୍ତ୍ତମାନ ସର୍ବୋଚ୍ଚ ଅଦାଲତରେ ବିଚାରଧୀନ ଅଛି। ଅନ୍ୟପଟେ, ଏହି ମାମଲାରେ ସହ-ଅଭିଯୁକ୍ତ ଥିବା ସୈଫ୍ ଅଲୀ ଖାନ, ତବୁ, ନୀଲମ, ସୋନାଲୀ ବେନ୍ଦ୍ରେ ଏବଂ ଦୁଷ୍ମନ୍ତ ସିଂହଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ।ଦିଲ୍ଲୀ ହାଇକୋର୍ଟ ଏହି ଆବେଦନ ଉପରେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ନୋଟିସ୍ ଜାରି କରିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୯ ତାରିଖରେ ହେବ।