ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ Urvashi Rautela ପୁଣିଥରେ Cannes Film Festival ରେ ନିଜର ଗ୍ଲାମରସ୍ ଏବଂ ରାଜକୀୟ ଲୁକ୍କୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି। ପ୍ରତିବର୍ଷ ବିଶ୍ୱର ପ୍ରତିଷ୍ଠିତ ଫ୍ୟାଶନ୍ ଏବଂ ଚଳଚ୍ଚିତ୍ର ଉତ୍ସବ ଭାବେ ପରିଚିତ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ହଲିଉଡ୍ ଓ ବଲିଉଡ୍ର ଅନେକ ତାରକା ନିଜର ଅଲଗା ଶୈଳୀ ପ୍ରଦର୍ଶନ କରିଥାନ୍ତି। ଏହିବର୍ଷ ମଧ୍ୟ ଉର୍ବଶୀ ତାଙ୍କ ଅତ୍ୟାଧୁନିକ ଫ୍ୟାଶନ୍ ସେନ୍ସ ପାଇଁ ସବୁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
୨୦୨୫ କାନ୍ସ ଫେଷ୍ଟିଭାଲରେ ଉର୍ବଶୀଙ୍କ ପ୍ରଥମ ରେଡ୍ କାର୍ପେଟ୍ ଲୁକ୍ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା। ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ Michael Cinco ଡିଜାଇନ୍ କରିଥିବା ଏହି ଗାଉନ୍ରେ ରାଜକୀୟ ଠାଟ୍ବାଟ୍ ଓ ଆଧୁନିକ କାରିଗରିର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥିଲା। ଉର୍ବଶୀ ଏହି ଲୁକ୍କୁ ଆହୁରି ଆକର୍ଷଣୀୟ କରିବା ପାଇଁ ଶୁଆ ଆକୃତିର ଏକ ବିଶେଷ କ୍ଲଚ୍ ସହ ଦୁର୍ଲଭ ହୀରାର ଅଳଙ୍କାର ପିନ୍ଧିଥିଲେ।
ରିପୋର୍ଟ ଅନୁଯାୟୀ, ତାଙ୍କ ସମଗ୍ର ଲୁକ୍ର ମୂଲ୍ୟ ପ୍ରାୟ ୧୫୫.୯ ମିଲିୟନ ଡଲାର, ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧୩୦୦ କୋଟି ଟଙ୍କା। ଏଥିରେ Moussaieff Red Diamond, Oppenheimer Blue Diamond, Dresden Green Diamond ଏବଂ Tiffany Yellow Diamond ପରି ବିଶ୍ୱପ୍ରସିଦ୍ଧ ହୀରା ଅନ୍ତର୍ଭୁକ୍ତ ଥିଲା। କେବଳ ଅଳଙ୍କାରର ମୂଲ୍ୟ ହିଁ ପ୍ରାୟ ୧୫୧ ମିଲିୟନ ଡଲାର ବୋଲି କୁହାଯାଇଛି।
ଗାଉନ୍ରେ ମେକ୍ସିକାନ୍ କଳାର ପ୍ରଭାବ ଓ ସୂକ୍ଷ୍ମ କାରିଗରି ଦେଖିବାକୁ ମିଳିଥିଲା। ଗାଉନ୍ର ମୂଲ୍ୟ ପ୍ରାୟ ୪.୮ ମିଲିୟନ ଡଲାର ଥିବାବେଳେ, ଶୁଆ ଆକୃତିର କ୍ଲଚ୍ର ମୂଲ୍ୟ ପ୍ରାୟ ୫୦ ହଜାର ଡଲାର ବୋଲି ଜଣାପଡ଼ିଛି।
ଉର୍ବଶୀଙ୍କ ଏହି ଅତ୍ୟାଧୁନିକ ଲୁକ୍ ସୋସିଆଲ୍ ମିଡିଆରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଥିଲା। ଅନେକ ଫ୍ୟାଶନ୍ ଏକ୍ସପର୍ଟ ଏହାକୁ କାନ୍ସ ଇତିହାସର ସବୁଠୁ ମହଙ୍ଗା ଏବଂ ଗ୍ଲାମରସ୍ ରେଡ୍ କାର୍ପେଟ୍ ଲୁକ୍ ବୋଲି ବର୍ଣ୍ଣନା କରିଥିଲେ। ଏହା ପୂର୍ବରୁ Kim Kardashianଙ୍କ ୫ ମିଲିୟନ ଡଲାରର ଲୁକ୍ ସବୁଠୁ ମହଙ୍ଗା ଥିଲା।
୨୦୨୬ରେ ମଧ୍ୟ ଉର୍ବଶୀ ନିଜର ଷ୍ଟାଇଲ୍ର ଯାଦୁ ଦେଖାଇବାରେ ପଛରେ ରହିନଥିଲେ। ୭୯ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ଉଦଘାଟନୀ ଉତ୍ସବରେ ସେ ଭିଏତନାମୀୟ ଡିଜାଇନର୍ ଲେବଲ୍ JoliPoli Coutureର ଏକ ଲାଭେଣ୍ଡର ରଙ୍ଗର ଚମତ୍କାର ଗାଉନ୍ ପିନ୍ଧିଥିଲେ। ରୂପା ସ୍ଫଟିକ, ମଣି ଓ ପଥର କାମରେ ସଜିଥିବା ଏହି ଗାଉନ୍ ତାଙ୍କୁ ଏକ ରାଜକୀୟ ଲୁକ୍ ଦେଇଥିଲା। ମଥାମଣି ଶୈଳୀର ହେଡପିସ୍ ଏବଂ ବଡ଼ କାନଫୁଲ୍ ତାଙ୍କ ସମଗ୍ର ଲୁକ୍କୁ ଆହୁରି ଆକର୍ଷଣୀୟ କରିଥିଲା।
ପୁଣିଥରେ କାନ୍ସ ରେଡ୍ କାର୍ପେଟ୍ରେ ନିଜର ଫ୍ୟାଶନ୍ ଷ୍ଟେଟମେଣ୍ଟ ଦ୍ୱାରା ଉର୍ବଶୀ ଦର୍ଶକ ଏବଂ ଫ୍ୟାଶନ୍ ଜଗତର ଦୃଷ୍ଟିଆକର୍ଷଣ କରିବାରେ ସଫଳ ହୋଇଛନ୍ତି।




