ଗୁଆହାଟୀ: ଆସାମର ସୁପ୍ରସିଦ୍ଧ ଗାୟକ ଜୁବିନ୍ ଗାର୍ଗଙ୍କ ମୃତ୍ୟୁ ମାମଲାରେ ଏକ ବଡ଼ ମୋଡ଼ ଆସିଛି। ସୋମବାର ଦିନ ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ଏହି ମାମଲାର ସମସ୍ତ ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ଆନୁଷ୍ଠାନିକ ଭାବେ ଚାର୍ଜଫ୍ରେମ୍ (ଅଭିଯୋଗ ଗଠନ) କରିଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ପ୍ରମୁଖ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଅଧୀନରେ ହତ୍ୟା ମାମଲା ଚାଲିବ।
ଜଷ୍ଟିସ୍ ଶର୍ମିଲା ଭୂୟାଁଙ୍କ ଅଧ୍ୟକ୍ଷତାରେ ଗଠିତ କୋର୍ଟ ଶ୍ୟାମକାନୁ ମହାନ୍ତ, ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା, ବ୍ୟାଣ୍ଡ ସଦସ୍ୟ ଶେଖର ଜ୍ୟୋତି ଗୋସ୍ୱାମୀ ଏବଂ ସହ-ଗାୟିକା ଅମୃତପ୍ରଭା ମହାନ୍ତଙ୍କ ବିରୋଧରେ BNS ଧାରା ୧୦୩ (ହତ୍ୟା), ଧାରା ୩ (ସମାନ ଉଦ୍ଦେଶ୍ୟ) ଏବଂ ଧାରା ୬୧ (ଅପରାଧିକ ଷଡ଼ଯନ୍ତ୍ର)ଲଗାଇଛନ୍ତି।ଏହା ବ୍ୟତୀତ ଅନ୍ୟ କେତେକ ସଂଗୀନ ଅଭିଯୋଗ ମଧ୍ୟ ଲଗାଯାଇଛି: ଶ୍ୟାମକାନୁ ମହାନ୍ତ ଜବରଦସ୍ତି ଆଦାୟ (Extortion), ପ୍ରତାରଣା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗ।
ସିଦ୍ଧାର୍ଥ ଶର୍ମା ଓ ଶେଖର ଜ୍ୟୋତି: ଅପରାଧିକ ବିଶ୍ୱାସଭଙ୍ଗ ମାମଲା।
ଅମୃତପ୍ରଭା ମହାନ୍ତ:ପ୍ରମାଣ ନଷ୍ଟ କରିବା ଅଭିଯୋଗ।* ସାନ୍ଦିପନ୍ ଗାର୍ଗ (ଜୁବିନଙ୍କ ସମ୍ପର୍କୀୟ ଭାଇ): ହତ୍ୟା ପରିସରଭୁକ୍ତ ନହେଉଥିବା ମାନବ ହତ୍ୟା (Culpable homicide) ଅଭିଯୋଗ। ନନ୍ଦେଶ୍ୱର ବୋରା ଓ ପ୍ରବୀଣ ବୈଶ୍ୟ (ବ୍ୟକ୍ତିଗତ ସୁରକ୍ଷା କର୍ମୀ): ଷଡ଼ଯନ୍ତ୍ର ଏବଂ ବିଶ୍ୱାସଭଙ୍ଗ ଅଭିଯୋଗ।
ଜୁନ୍ ୮ରୁ ଆରମ୍ଭ ହେବ ମାମଲାର ଶୁଣାଣିସ୍ୱତନ୍ତ୍ର ସରକାରୀ ଓକିଲ ଜିଆଉଲ୍ କମର ସ୍ପଷ୍ଟ କରିଛନ୍ତି ଯେ, ଏହି ହାଇ-ପ୍ରୋଫାଇଲ୍ ମାମଲାର ମୂଳ ବିଚାର ପ୍ରକ୍ରିୟା (Trial) ଆସନ୍ତା ଜୁନ୍ ୮ ତାରିଖରୁ ଆରମ୍ଭ ହେବ। ଅନ୍ୟପଟେ ଅଭିଯୁକ୍ତଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିବା ବେଳେ ଆଡଭୋକେଟ୍ ଜେନେରାଲ୍ ଦେବଜିତ୍ ସାଇକିଆ ଏହାକୁ ଦୃଢ଼ ବିରୋଧ କରିଛନ୍ତି। କୋର୍ଟ ଏହି ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି ଏବଂ ମେ’ ୨୯ ତାରିଖରେ ଏହାର ଶୁଣାଣି ହେବ।ପ୍ରଖ୍ୟାତ ଗାୟକ ଜୁବିନ୍ ଗାର୍ଗଙ୍କ ମୃତ୍ୟୁକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ତଦନ୍ତ ପରେ ଏହି ଚାର୍ଜଫ୍ରେମ୍ ପ୍ରକ୍ରିୟା ଆସାମର ସବୁଠାରୁ ବଡ଼ ଚର୍ଚ୍ଚିତ ଆଇନଗତ ଲଢ଼େଇ ପାଇଁ ପଥ ପରିଷ୍କାର କରିଛି, ଯାହା ଉପରେ ଏବେ ସାରା ରାଜ୍ୟର ନଜର ରହିଛି।




