ଖରାଦିନ ଆସିବା ସହିତ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ। ପ୍ରଖର ସୂର୍ଯ୍ୟକିରଣ, ପ୍ରଚଣ୍ଡ ଗରମ ଏବଂ ଅତ୍ୟଧିକ ସ୍ୱେଦ ନିର୍ଗମନ କେବଳ ଶରୀରକୁ ନୁହେଁ, ବରଂ ଆମର କେଶ ଏବଂ ମୁଣ୍ଡର ଚର୍ମ କୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରିଥାଏ। ଏହି ଋତୁରେ ଅନେକ ଲୋକ ମୁଣ୍ଡରେ କ୍ରମାଗତ କୁଣ୍ଡେଇ ହେବା ସମସ୍ୟାର ସମ୍ମୁଖୀନ ହୁଅନ୍ତି।

ସାଧାରଣତଃ ଲୋକେ ଏହାକୁ ରୂପି କିମ୍ବା ଉକୁଣି ସମସ୍ୟା ବୋଲି ଭାବିଥାନ୍ତି, କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ ଏହା ପଛରେ ଅନେକ ଅନ୍ୟ କାରଣ ମଧ୍ୟ ଥାଇପାରେ। ଯଦି ସମୟ ଥାଉ ଥାଉ ଏହାର ଯତ୍ନ ନିଆନଯାଏ, ତେବେ ସମସ୍ୟା ଆହୁରି ଗମ୍ଭୀର ହୋଇପାରେ। ଆସନ୍ତୁ ଜାଣିବା ଏହାର ମୁଖ୍ୟ କାରଣ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ।

ମୁଣ୍ଡ କୁଣ୍ଡେଇ ହେବାର ମୁଖ୍ୟ କାରଣ:

  • ଅତ୍ୟଧିକ ଝାଳ ବାହାରିବା: ଗରମ ଦିନେ ଶରୀର ଭଳି ମୁଣ୍ଡରେ ମଧ୍ୟ ପ୍ରଚୁର ଝାଳ ହୋଇଥାଏ। ଏହି ଝାଳ, ଧୂଳି ଏବଂ ତେଲ ମିଶି ମୁଣ୍ଡ ଚର୍ମରେ ମଇଳା ଜମା କରିଦିଏ, ଯାହା ଫଳରେ କୁଣ୍ଡେଇ ହେବା ଓ ପୋଡ଼ାଜଳା ସମସ୍ୟା ଦେଖାଦିଏ।
  • ଖରାର ପ୍ରଭାବ: ଦୀର୍ଘ ସମୟ ଧରି ଟାଣ ଖରାରେ ରହିବା ଦ୍ୱାରା ମୁଣ୍ଡର ଚର୍ମ ଶୁଷ୍କ ଓ ସମ୍ବେଦନଶୀଳ ହୋଇଯାଏ, ଯାହା କୁଣ୍ଡେଇ ହେବାର ଅନ୍ୟ ଏକ କାରଣ।
  • ଫଙ୍ଗଲ୍ ଇନଫେକ୍ସନ (କବକ ସଂକ୍ରମଣ): ଗରମ ଏବଂ ଆଦ୍ର ପାଣିପାଗ ଫଙ୍ଗସ୍ ବଢ଼ିବା ପାଇଁ ଅନୁକୂଳ ଅଟେ। ଯଦି ମୁଣ୍ଡ ଅଧିକ ସମୟ ଓଦା ରହେ କିମ୍ବା ସଫା ନରହେ, ତେବେ ଫଙ୍ଗଲ୍ ଇନଫେକ୍ସନର ଆଶଙ୍କା ବଢ଼ିଯାଏ।
  • ଅଧିକ ତେଲ ଏବଂ ମଇଳା: ମୁଣ୍ଡ ଚର୍ମରେ ଥିବା ପ୍ରାକୃତିକ ତେଲ, ଝାଳ ଏବଂ ପ୍ରଦୂଷଣ ସହିତ ମିଶି କେଶର ରୋମଛିଦ୍ରକୁ ବନ୍ଦ କରିଦିଏ। ଏହାଦ୍ୱାରା କୁଣ୍ଡେଇ ହେବା ସହ କେଶ ଝଡ଼ିବା ମଧ୍ୟ ଆରମ୍ଭ ହୁଏ।
  • ହେୟାର ପ୍ରୋଡକ୍ଟରୁ ଆଲର୍ଜି: କେତେକ ସାମ୍ପୁ, ହେୟାର ସ୍ପ୍ରେ କିମ୍ବା ଜେଲ୍‌ରେ ଥିବା କେମିକାଲ୍ ଯୋଗୁଁ ମଧ୍ୟ ମୁଣ୍ଡରେ ଆଲର୍ଜି ଓ ନାଲି ପଡ଼ିଯିବା ଭଳି ସମସ୍ୟା ହୋଇପାରେ।

ଏଥିରୁ କିପରି ପାଇବେ ମୁକ୍ତି?

ଖରାଦିନେ ମୁଣ୍ଡର ସଠିକ୍ ଯତ୍ନ ଏବଂ ସଫାସୁତୁରା ରହିବା ଦ୍ୱାରା ଏହି ସମସ୍ୟାକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ।

  • ମୁଣ୍ଡ ସଫା ରଖନ୍ତୁ: ଗରମ ଦିନେ ନିୟମିତ ବ୍ୟବଧାନରେ କେଶ ଧୋଇବା ଜରୁରୀ। ଏହାଦ୍ୱାରା ଝାଳ, ଧୂଳି ଏବଂ ଅତିରିକ୍ତ ତେଲ ସଫା ହୋଇଯାଏ।
  • ମାଇଲ୍ଡ ସାମ୍ପୁ ବ୍ୟବହାର କରନ୍ତୁ: ଏପରି ସାମ୍ପୁ ବ୍ୟବହାର କରନ୍ତୁ ଯାହା ମୁଣ୍ଡକୁ ସଫା କରିବା ସହ ତାର ଆଦ୍ରତା ବଜାୟ ରଖିବ। ଅଧିକ କେମିକାଲ୍ ଯୁକ୍ତ ପ୍ରୋଡକ୍ଟ ବ୍ୟବହାର କରନ୍ତୁ ନାହିଁ।
  • କେଶକୁ ଅଧିକ ସମୟ ଓଦା ରଖନ୍ତୁ ନାହିଁ: ଓଦା କେଶରେ ଫଙ୍ଗଲ୍ ସଂକ୍ରମଣର ଭୟ ଅଧିକ ଥାଏ। ତେଣୁ କେଶ ଧୋଇବା ପରେ ତାକୁ ଭଲଭାବେ ଶୁଖାଇ ଦିଅନ୍ତୁ।
  • ଖରାରୁ ରକ୍ଷା କରନ୍ତୁ: ବାହାରକୁ ଯିବା ସମୟରେ ଟୋପି, ସ୍କାର୍ଫ କିମ୍ବା ଛତାର ବ୍ୟବହାର କରନ୍ତୁ, ଯେପରି ମୁଣ୍ଡ ସିଧାସଳଖ ଖରାର ସଂସ୍ପର୍ଶରେ ନଆସିବ।
  • ପ୍ରଚୁର ପାଣି ପିଅନ୍ତୁ: ଶରୀରକୁ ହାଇଡ୍ରେଟ୍ ରଖିବା ଦ୍ୱାରା ଚର୍ମର ସ୍ୱାସ୍ଥ୍ୟ ଭଲ ରହେ ଏବଂ ଶୁଷ୍କତା ଦୂର ହୁଏ।

ଡାକ୍ତରଙ୍କ ପରାମର୍ଶ କେତେବେଳେ ନେବେ?

ଯଦି ମୁଣ୍ଡ କୁଣ୍ଡେଇ ହେବା ସହ ଲାଲ୍ ଚକଡ଼ା ଦାଗ, ଫୁଲିଯିବା, ଅତ୍ୟଧିକ ରୂପି, ଖତରା ବାହାରିବା କିମ୍ବା ପ୍ରବଳ କେଶ ଝଡ଼ିବା ଭଳି ସମସ୍ୟା ଦେଖାଯାଏ, ତେବେ ବିଳମ୍ବ ନକରି ଜଣେ ଚର୍ମ ରୋଗ ବିଶେଷଜ୍ଞ ଙ୍କ ପରାମର୍ଶ ନେବା ଉଚିତ୍। କାରଣ ଏହା କୌଣସି ଗମ୍ଭୀର ସଂକ୍ରମଣର ସଙ୍କେତ ହୋଇପାରେ।

ଟିକେ ସାବଧାନତା ଏବଂ ସଠିକ୍ ହେୟାର କେୟାର ରୁଟିନ୍ ଆପଣଙ୍କ କେଶ ଓ ମୁଣ୍ଡ ଉଭୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ।