ନୂଆଦିଲ୍ଲୀ: ନିଜ ଗୁଇନ୍ଦା କ୍ୟାରିୟରର ପ୍ରାରମ୍ଭିକ ଦିନର ଏକ ସମ୍ବେଦନଶୀଳ ଘଟଣା ମନେପକାଇଛନ୍ତି ଜାତୀୟ ନିରାପତ୍ତା ପରାମର୍ଶଦାତା (NSA) ଅଜିତ ଡୋଭାଲ। ଶନିବାର ଆଇଆଇଟି ରୁର୍‌କିର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସେ ସିକିମ୍‌ରେ ଥିବା ସମୟର ଏକ ଗୁଇନ୍ଦା ମିସନ ସମ୍ପର୍କରେ ଅଭିଜ୍ଞତା ବାଣ୍ଟିଥିଲେ।

ଚୀନ୍‌ ସୀମାକୁ ଯାଇଥିବା ଟିମ୍‌ ଫେରିନଥିଲା

ଡୋଭାଲଙ୍କ କହିବା ଅନୁସାରେ, ସେତେବେଳେ ସେ ୨୦ ବର୍ଷ ବୟସରେ ଥିଲେ ଏବଂ ସିକିମ୍‌ରେ ଗୁଇନ୍ଦା ଦାୟିତ୍ୱରେ ଥିଲେ। ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି (PLA)ର ଗତିବିଧି ଉପରେ ନଜର ରଖିବାକୁ ଏକ ଟିମ୍‌କୁ ସୀମା ଅଞ୍ଚଳକୁ ପଠାଯାଇଥିଲା। ଟିମ୍‌ଟି ନିର୍ଦ୍ଧାରିତ ସମୟରେ ଫେରିନଥିବାରୁ ଚିନ୍ତା ବଢ଼ିଥିଲା। ପରେ ମୁଖ୍ୟାଳୟରୁ ସେ ଜାଣିବାକୁ ପାଇଥିଲେ ଯେ ଟିମ୍‌ର ସଦସ୍ୟମାନେ ଚୀନ୍‌ ସେନା ହାତରେ ଧରାପଡ଼ିଛନ୍ତି।

ତଦନ୍ତ ପରେ ମିଳିଥିଲା କ୍ଲିନ୍‌ଚିଟ୍‌

ଡୋଭାଲ କହିଥିଲେ ଯେ ଟିମ୍‌କୁ ପଚରାଉଚରା କରାଯିବା ପରେ ସେମାନେ ଫେରିଥିଲେ। ଘଟଣା ପରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଘଟଣା ତାଙ୍କ କ୍ୟାରିୟର ଶେଷ କରିଦେବ ବୋଲି ସେ ସେତେବେଳେ ଭାବିଥିଲେ। ତେବେ ତଦନ୍ତରେ ତାଙ୍କୁ ଦୋଷୀ ମନେ କରାଯାଇନଥିଲା। ମୁଖ୍ୟାଳୟରୁ ଦିଆଯାଇଥିବା ମାନଚିତ୍ର ଓ ସ୍କେଚ୍‌ରେ ତ୍ରୁଟି ଥିବା ତଦନ୍ତରେ ସାମ୍ନାକୁ ଆସିଥିବା ସେ କହିଥିଲେ।

ତିବ୍ବତୀୟ ସହଯୋଗୀଙ୍କ ପରାମର୍ଶ

ଏହି ଘଟଣା ପରେ ଜଣେ ତିବ୍ବତୀୟ ଶେର୍ପାଙ୍କ ପରାମର୍ଶ ତାଙ୍କୁ ପ୍ରଭାବିତ କରିଥିବା ଡୋଭାଲ କହିଥିଲେ। ତାଙ୍କ ତିନିଟି ମୁଖ୍ୟ ସୂତ୍ର ଥିଲା—ନିଜେ କେଉଁଠି ଅଛନ୍ତି ଜାଣ, କେଉଁଠି ପହଞ୍ଚିବାକୁ ଚାହୁଁଛ ଜାଣ ଏବଂ ସେଠାକୁ ଯିବାର ମାର୍ଗ ଜାଣ। ଡୋଭାଲଙ୍କ କହିବା ଅନୁସାରେ, ଏହି ପରାମର୍ଶ ପରେ ତାଙ୍କ ଜୀବନକୁ ଦେଖିବାର ଏକ ମାର୍ଗଦର୍ଶକ ସୂତ୍ର ପାଲଟିଥିଲା।