ଶ୍ରୀନଗର: ଚଳିତ ବର୍ଷର ୫୭ ଦିନିଆ ଅମରନାଥ ଯାତ୍ରା ଆରମ୍ଭ ହେବାର ମାତ୍ର ପାଞ୍ଚ ଦିନ ମଧ୍ୟରେ ପବିତ୍ର ଅମରନାଥ ଗୁମ୍ଫାରେ ସ୍ୱାଭାବିକ ଭାବେ ସୃଷ୍ଟି ହେଉଥିବା ବରଫ ଶିବଲିଙ୍ଗ ପ୍ରାୟ ସମ୍ପୂର୍ଣ୍ଣ ତରଳି ଯାଇଥିବା ଘଟଣା ଭକ୍ତ ଓ ପରିବେଶବିତ୍‌ଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ଏହି ଘଟଣା ଯାତ୍ରା ପରିଚାଳନା, ଜଳବାୟୁ ପରିବର୍ତ୍ତନ ଓ ହିମାଳୟର ପରିବେଶ ସୁରକ୍ଷାକୁ ନେଇ ନୂଆ ଚର୍ଚ୍ଚାର ସୂତ୍ରପାତ କରିଛି।

ଅମରନାଥ ଗୁମ୍ଫାର ଛାତରୁ ଝରୁଥିବା ପାଣି ଅତ୍ୟଧିକ ଶୀତଳ ତାପମାତ୍ରାରେ ଜମାଟ ବାନ୍ଧି ପ୍ରତିବର୍ଷ ପ୍ରାକୃତିକ ଭାବେ ବରଫ ଶିବଲିଙ୍ଗ ସୃଷ୍ଟି ହୋଇଥାଏ। କିନ୍ତୁ ଏଥର ଯାତ୍ରା ଆରମ୍ଭ ହେବାର କିଛି ଦିନ ମଧ୍ୟରେ ଶିବଲିଙ୍ଗର ୯୦ ପ୍ରତିଶତରୁ ଅଧିକ ଅଂଶ ତରଳି ଯାଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଚିତ୍ରରେ ମଧ୍ୟ ବରଫ ଶିବଲିଙ୍ଗ ପ୍ରାୟ ଅଦୃଶ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି। ଫଳରେ ଆଗାମୀ ପ୍ରାୟ ୫୦ ଦିନ ଯାଏଁ ଯାତ୍ରା କରିବାକୁ ଥିବା ଲକ୍ଷାଧିକ ଭକ୍ତ ପାରମ୍ପରିକ ବରଫ ଶିବଲିଙ୍ଗ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଏହି ଘଟଣା ପରେ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (PDP) ନେତ୍ରୀ ଇଲତିଜା ମୁଫ୍ତି ଯାତ୍ରା ପରିଚାଳନା ଓ ପରିବେଶ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ କହିବା ଅନୁସାରେ, ସୁପ୍ରିମକୋର୍ଟ ପ୍ରତିଦିନ ସର୍ବାଧିକ ୧୦ ହଜାର ଭକ୍ତଙ୍କ ଯାତ୍ରା ପାଇଁ ସୀମା ନିର୍ଦ୍ଧାରଣ କରିଥିଲେ ମଧ୍ୟ ବର୍ତ୍ତମାନ ତାହାଠାରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଯାତ୍ରା କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ସହ ଅନିୟନ୍ତ୍ରିତ ଗଛକଟା, ବେଆଇନ ଖଣି ଖନନ, ଅଳିଆ ଆବର୍ଜନାର ଅପର୍ଯ୍ୟାପ୍ତ ପରିଚାଳନା ଓ ପ୍ରାକୃତିକ ସମ୍ପଦ ଉପରେ ବଢ଼ୁଥିବା ମାନବୀୟ ଚାପ ଏହାର ଅନ୍ୟତମ କାରଣ ହୋଇପାରେ ବୋଲି ସେ ମତ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ଶ୍ରୀ ଅମରନାଥ ବରଫାନୀ ଲଙ୍ଗର୍ସ ଅର୍ଗାନାଇଜେସନ୍‌ (SABLO) ବରଫ ଶିବଲିଙ୍ଗ ଏତେ ଶୀଘ୍ର ତରଳିବା ଘଟଣାର ବୈଜ୍ଞାନିକ ତଦନ୍ତ ଦାବି କରିଛି। ସଂଗଠନ ପକ୍ଷରୁ ଶ୍ରୀ ଅମରନାଥ ଶ୍ରାଇନ୍‌ ବୋର୍ଡ (SASB)କୁ ଦିଆଯାଇଥିବା ଦାବିପତ୍ରରେ ଘଟଣାର କାରଣ ଖୋଜିବା ସହ ଗୁମ୍ଫା ଓ ଏହାର ଆଖପାଖ ପରିବେଶର ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ସଂଗଠନର ମତରେ, ଏଭଳି ପରିସ୍ଥିତି ଯୋଗୁ ଚଳିତ ବର୍ଷ ବହୁ ଭକ୍ତ ପବିତ୍ର ବରଫ ଶିବଲିଙ୍ଗ ଦର୍ଶନର ସୁଯୋଗ ପାଇବେ ନାହିଁ।

ପରିବେଶ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ବଢ଼ୁଥିବା ବୈଶ୍ୱିକ ତାପମାତ୍ରା, ଜଳବାୟୁ ପରିବର୍ତ୍ତନ ଏବଂ ହିମାଳୟ ଅଞ୍ଚଳରେ ବଢ଼ୁଥିବା ମାନବୀୟ କାର୍ଯ୍ୟକଳାପ ଏଭଳି ଘଟଣା ପାଇଁ ଦାୟୀ ହୋଇପାରେ। ସେମାନଙ୍କ ମତରେ, ଭବିଷ୍ୟତରେ ଏହି ପବିତ୍ର ତୀର୍ଥକ୍ଷେତ୍ରର ପ୍ରାକୃତିକ ସନ୍ତୁଳନ ରକ୍ଷା ପାଇଁ ଦୀର୍ଘମିଆଦୀ ପରିବେଶ ସୁରକ୍ଷା ନୀତି ଗ୍ରହଣ କରିବା ଆବଶ୍ୟକ।

୭ ଦିନରେ ୧.୭୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଦର୍ଶନ

ଏପଟେ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ବାଲଟାଲ୍‌ ବେସ୍‌ କ୍ୟାମ୍ପ ଗସ୍ତ କରି ଯାତ୍ରା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସେ ତୀର୍ଥଯାତ୍ରୀଙ୍କ ସହ ଆଲୋଚନା କରିବା ସହ ସୁରକ୍ଷା, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ସୁବିଧାର ଅନୁଧ୍ୟାନ କରିଥିଲେ।

ଉପରାଜ୍ୟପାଳଙ୍କ ସୂଚନା ଅନୁସାରେ, ଯାତ୍ରାର ପ୍ରଥମ ସାତ ଦିନ ମଧ୍ୟରେ ପ୍ରାୟ ୧ ଲକ୍ଷ ୭୦ ହଜାର ଶ୍ରଦ୍ଧାଳୁ ବାବା ବରଫାନୀଙ୍କ ଦର୍ଶନ କରିସାରିଛନ୍ତି। ଯାତ୍ରାକୁ ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ପ୍ରଶାସନ, ଜମ୍ମୁ-କାଶ୍ମୀର ପୁଲିସ, ସେନା ଏବଂ ଅନ୍ୟ ସୁରକ୍ଷା ସଂସ୍ଥାମାନେ ମିଳିତ ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି।