ଚେନ୍ନାଇ: ତାମିଲନାଡୁର ତିରୁଭାଲୁର ଜିଲ୍ଲାରେ ଥିବା ଏକ ବେସରକାରୀ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଗ୍ୟାସ୍ ଲିକ୍ ଘଟଣା ଚଞ୍ଚଳ୍ୟ ସୃଷ୍ଟି କରିଛି। ପେରିୟାପାଲାୟମ୍ ନିକଟସ୍ଥ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହେବା ଫଳରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଶ୍ରମିକ ଅସୁସ୍ଥ ହୋଇପଡ଼ିଛନ୍ତି।


ସୂଚନା ଅନୁଯାୟୀ, କାରଖାନାରେ ୩୦୦ରୁ ଅଧିକ ଶ୍ରମିକ କାର୍ଯ୍ୟରତ ଥିବାବେଳେ ଘଟଣା ସମୟରେ ୧୦୦ରୁ ଅଧିକ ଲୋକ ଡ୍ୟୁଟିରେ ଥିଲେ। ହଠାତ୍ ଗ୍ୟାସ୍ ଲିକ୍ ହେବା ପରେ ଅନେକ ଶ୍ରମିକ ଶ୍ୱାସକଷ୍ଟ ଅନୁଭବ କରିଥିଲେ ଏବଂ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଥିଲା।


ରିପୋର୍ଟ ଅନୁଯାୟୀ, ୭୦ରୁ ଅଧିକ ଶ୍ରମିକ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡ଼ିତ ହୋଇଥିବା ବେଳେ କିଛି ଲୋକ ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ଅସୁସ୍ଥ ଶ୍ରମିକମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।


ଘଟଣା ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ଉଦ୍ଧାର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୭ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବାବେଳେ କିଛି ଗୁରୁତର ଆହତଙ୍କୁ ଚେନ୍ନାଇର ବିଶେଷ ଚିକିତ୍ସା କେନ୍ଦ୍ରକୁ ପଠାଯାଇଛି।


ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତିରୁଭାଲୁର ଜିଲ୍ଲାପାଳ କାରଖାନା ଓ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିବା ସୂଚନା ମିଳିଛି। ଗ୍ୟାସ୍ ଲିକ୍‌ର ପ୍ରକୃତ କାରଣ ଓ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ ସେନେଇ ଅଧିକ ଯାଞ୍ଚ ଚାଲିଛି।