ଅମରାବତୀ (ମହାରାଷ୍ଟ୍ର): ଆଦିବାସୀ ବହୁଳ ମେଲଘାଟ ଅଞ୍ଚଳର ଡୋମା ଗ୍ରାମସ୍ଥିତ ଏକ ସରକାରୀ ଆଦିବାସୀ ଆବାସିକ ବିଦ୍ୟାଳୟରେ ‘ଭୂତ’ ଭୟ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କିଛି ଛାତ୍ରୀ ଅସାମାନ୍ୟ ବ୍ୟବହାର କରିବା ପରେ ଦେଖାଦେଇଥିବା ଏହି ଅଜବ ଘଟଣା ଯୋଗୁଁ ଆତଙ୍କିତ ହୋଇ ପ୍ରାୟ ୬୦୦ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ନିଜ ନିଜ ଘରକୁ ପଳାଇଛନ୍ତି।
ଗତ ଜୁଲାଇ ୨୨ ତାରିଖରେ ବିଦ୍ୟାଳୟର ୪ ଜଣ ଛାତ୍ରୀ ହଠାତ୍ ଅନିୟନ୍ତ୍ରିତ ଭାବେ କାନ୍ଦିବା ଏବଂ ହସିବା ସହ ଅଜବ ବ୍ୟବହାର କରିବା ଆରମ୍ଭ କରିଥିଲେ। ଏହାପରେ ହଷ୍ଟେଲରେ ‘ପ୍ରେତାତ୍ମା’ର ସାନ୍ନିଧ୍ୟ ଥିବା ନେଇ ଗୁଜବ ବ୍ୟାପିବାରେ ଲାଗିଥିଲା। ରାତିରେ ମଲମଲ ଶବ୍ଦ (ଝୁଣ୍ଟିର ଶବ୍ଦ) ଶୁଣାଯାଉଥିବା ନେଇ କଥା ପ୍ରଚାରିତ ହେବା ପରେ ୮୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରହୁଥିବା ଏହି ଆବାସିକ ସ୍କୁଲରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ସୂଚନା ପାଇବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ସ୍କୁଲରେ ପହଞ୍ଚି ଅସୁସ୍ଥ ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଡାକ୍ତରମାନଙ୍କ କହିବା ଅନୁଯାୟୀ, ଏହା କୌଣସି ଅଲୌକିକ ଶକ୍ତି କିମ୍ବା ଭୂତର ପ୍ରଭାବ ନୁହେଁ, ବରଂ ମାନସିକ ଚାପଜନିତ ମାସ୍ ହିଷ୍ଟେରିଆ।
ଏସବୁ ସତ୍ତ୍ୱେ ସ୍ଥାନୀୟ ଗ୍ରାମବାସୀ ବିଭିନ୍ନ ଅନ୍ଧବିଶ୍ୱାସୀ କାହାଣୀ ପ୍ରଚାର କରୁଛନ୍ତି। କେତେକଙ୍କ ଦାବି ଅନୁଯାୟୀ, କଟାଯାଇଥିବା ଏକ ମହୁଲ ଗଛର ଆତ୍ମା କୁପିତ ଅଛନ୍ତି, ତ ଆଉ କେତେକ ନିକଟସ୍ଥ ମନ୍ଦିରର ନାଳୀ ଜବରଦଖଲ ହୋଇଥିବାରୁ ଦେବତା ରୁଷ୍ଟ ହୋଇଥିବା କହୁଛନ୍ତି। ସେହିପରି ନିକଟରେ ମୃତ୍ୟୁବରଣ କରିଥିବା ଜଣେ ଯୁବକର ଭୂତ ବୁଲୁଥିବା ନେଇ ମଧ୍ୟ ଗୁଜବ ସୃଷ୍ଟି କରାଯାଇଛି।
‘ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୂଳନ ସମିତି’ର କର୍ମକର୍ତ୍ତାମାନେ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ କାଉନସେଲିଂ କରିବା ସହ ଅନ୍ଧବିଶ୍ୱାସରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଅମରାବତୀ ସାଂସଦ ବଲୱନ୍ତ ୱାଙ୍ଖଡେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ସେହିପରି ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ ଚୌଧୁରୀ ପ୍ରକାଶ କରିଛନ୍ତି ଯେ, ପିଲାମାନଙ୍କୁ ପୁନର୍ବାର ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି।




