ବିହାର: ବିହାରର ଲଖିସରାଇ ଜିଲ୍ଲାସ୍ଥିତ ପ୍ରସିଦ୍ଧ ଅଶୋକ ଧାମ ମନ୍ଦିରରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଶ୍ରାବଣ ସୋମବାର ଅବସରରେ ଜଳାଭିଷେକ ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ହଠାତ୍ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଅଭାବନୀୟ ଘଟଣାରେ ୭ ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଶ୍ରାବଣ ସୋମବାର ନିମନ୍ତେ ଭୋର ସମୟରୁ ମନ୍ଦିର ପରିସରରେ ହଜାର ହଜାର କାଉଡ଼ିଆ ଓ ଶ୍ରଦ୍ଧାଳୁ ମହାଦେବଙ୍କ ଜଳାଭିଷେକ ପାଇଁ ଲାଇନ୍ରେ ଛିଡ଼ା ହୋଇଥିଲେ। ଗର୍ଭଗୃହ ନିକଟରେ ହଠାତ୍ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ପଛପଟୁ ଠେଲାପେଲା ଯୋଗୁଁ ଆଗରେ ଥିବା ଶ୍ରଦ୍ଧାଳୁମାନେ ତଳେ ପଡ଼ିଯାଇଥିଲେ, ଯାହାଫଳରେ ସେଠାରେ ଆତଙ୍କରାଜ ସୃଷ୍ଟି ହୋଇଥିଲା।
ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
- ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
- କେତେକ ଆହତଙ୍କ ସ୍ଥିତି ସଙ୍କଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।
ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହିତ ମୃତକଙ୍କ କ୍ଷତିପୂରଣ ଏବଂ ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ଘୋଷଣା କରାଯାଇଛି। ମନ୍ଦିର ପରିସରରେ ନିରାପତ୍ତା ବ୍ୟବସ୍ଥାରେ କିପରି ତ୍ରୁଟି ରହିଲା, ସେ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।




