ଶ୍ରୀ ବିଜୟ ପୁରମ୍: ଭାରତର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଏକ ବିଶ୍ୱସ୍ତରୀୟ ସ୍କୁବା ଡାଇଭିଙ୍ଗ୍ ଗନ୍ତବ୍ୟ ସ୍ଥଳ ଭାବେ ଗଢ଼ିତୋଳିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରୟାସ ଆରମ୍ଭ ହୋଇଛି। ଏହି ଉଦ୍ଦେଶ୍ୟରେ ଉପ-ରାଜ୍ୟପାଳ ଆଡମିରାଲ୍ ଡି.କେ. ଜୋଶୀଙ୍କ ସମ୍ମୁଖରେ ଏକ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ୍ ଉପସ୍ଥାପନ କରାଯାଇଛି।

ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ଡାଇଭିଙ୍ଗ୍ ଅନୁଷ୍ଠାନଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନର୍ଥ ବେ, ସ୍ୱରାଜ ଦ୍ୱୀପ (ହେଭଲକ୍), ଶହୀଦ ଦ୍ୱୀପ (ନୀଲ୍), ଲଙ୍ଗ୍ ଆଇଲ୍ୟାଣ୍ଡ ଏବଂ ଆଭେସ ଆଇଲ୍ୟାଣ୍ଡରେ ନୂତନ ଡାଇଭ୍ ସାଇଟ୍ ବିକାଶ କରିବା ସହ କୃତ୍ରିମ ସାମୁଦ୍ରିକ ପ୍ରବାଳ ପ୍ରାଚୀର, ଜଳମଗ୍ନ ଜାହାଜ ଭଗ୍ନାବଶେଷ ଡାଇଭିଙ୍ଗ୍ ଏବଂ ମେରିନ୍-ଥିମ୍ଡ୍ ଇନଷ୍ଟଲେସନ୍ ପ୍ରତିଷ୍ଠା ନେଇ ଆଲୋଚନା ହୋଇଛି। ଏହା ଦ୍ୱାରା ପ୍ରାକୃତିକ କୋରାଲ୍ ରିଫ୍‌ର ସଂରକ୍ଷଣ ହେବା ସହ ସ୍ଥିର ସାମୁଦ୍ରିକ ପର୍ଯ୍ୟଟନକୁ ବେଶ୍ ପ୍ରୋତ୍ସାହନ ମିଳିବ।

ସ୍ୱଚ୍ଛ ନୀଳ ଜଳରାଶି, ସୁଦୃଢ଼ ପ୍ରବାଳ ପ୍ରାଚୀର ଏବଂ ବିଭିନ୍ନ ପ୍ରଜାତିର ସାମୁଦ୍ରିକ ଜୀବ ଯେପରିକି ମାଣ୍ଟା ରେ, ରୀଫ୍ ସାର୍କ ଓ କଇଁଛ ଆଣ୍ଡାମାନକୁ ଡାଇଭରମାନଙ୍କ ପାଇଁ ଏକ ସ୍ୱପ୍ନର ସହର ଭାବେ ଗଢ଼ି ତୋଳିଛି। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ସମୁଦ୍ର ଗର୍ଭର ଏହି ରୋମାଞ୍ଚକର ଦୁନିଆକୁ ଦେଖିବା ପାଇଁ ପର୍ଯ୍ୟଟକ ଜଣେ ଅଭିଜ୍ଞ ଡୁବୁରୀ ହେବା ଆବଶ୍ୟକ ନାହିଁ। ପ୍ରଥମ ଥର ପାଇଁ ଯାଉଥିବା ପର୍ଯ୍ୟଟକ ମଧ୍ୟ ସାଧାରଣ ଟ୍ରେନିଂ ନେଇ ବିଶେଷଜ୍ଞଙ୍କ ଗାଇଡାନ୍ସରେ ସ୍କୁବା ଡାଇଭିଙ୍ଗ୍‌ର ମଜା ନେଇପାରିବେ।

ହେଭଲକ୍‌ର ଏଲିଫ୍ୟାଣ୍ଟ ବିଚ୍ ଓ ‘ଦି ୱାଲ୍’, ନୀଲ୍ ଆଇଲ୍ୟାଣ୍ଡର କୋରାଲ୍ ଗାର୍ଡେନ୍ ଏବଂ ବାରେନ୍ ଆଇଲ୍ୟାଣ୍ଡର ଜଳତଳ ଆଗ୍ନେୟଗିରି ବର୍ତ୍ତମାନ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି।

ଅଧିକାରୀଙ୍କ କହିବା ଅନୁଯାୟୀ, ଦେଶର ପର୍ଯ୍ୟଟକଙ୍କୁ ସ୍କୁବା ଡାଇଭିଙ୍ଗ୍ ପାଇଁ ଆଉ ବିଦେଶ ଯିବାର ଆବଶ୍ୟକତା ନାହିଁ। ବରଂ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ପାଇଁ ସବୁ ବର୍ଗର ବଜେଟ୍‌କୁ ସୁହାଇବା ଭଳି ଭିତ୍ତିଭୂମିର ବିକାଶ କାର୍ଯ୍ୟ ଏଠାରେ ଦ୍ରୁତ ଗତିରେ ଚାଲିଛି।