ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନୌର ସାଇରପୁର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତ ମହିଳାଙ୍କୁ ନିଶାଦ୍ରବ୍ୟ ଦେଇ ଅପହରଣ କରିବା ପରେ ଦୀର୍ଘ ୫ ବର୍ଷ ଧରି ବନ୍ଦୀ ରଖି ଦୁଷ୍କର୍ମ କରିବା ଏବଂ ଜବରଦସ୍ତ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇବା ଅଭିଯୋଗରେ ପୋଲିସ ଭାରତୀୟ ସେନାରେ କାର୍ଯ୍ୟରତ ଜଣେ ଯବାନଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତଙ୍କ ନାମ ମଞ୍ଜୁର ଅଲୀ ବୋଲି ଜଣାପଡ଼ିଛି।

ପିଡ଼ିତାଙ୍କ ଅଭିଯୋଗ ଆଧାରରେ ଗତ ମେ ୩୦ ତାରିଖରେ ମଞ୍ଜୁର ଅଲୀ, ତାଙ୍କ ଭାଇ କମଲ ଏବଂ ସମ୍ପର୍କୀୟ ସଲମାନଙ୍କ ବିରୋଧରେ ମାମଲା (FIR) ରୁଜୁ କରାଯାଇଥିଲା। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ମୁଖ୍ୟ ଅଭିଯୁକ୍ତ ମଞ୍ଜୁର ଅଲୀକୁ ଗିରଫ କରିଛି। ସୂଚନା ଅନୁଯାୟୀ, ମହିଳା ଜଣକ ପୂର୍ବରୁ ବିବାହିତ ଥିଲେ ଏବଂ ସୀତାପୁର ଜିଲ୍ଲାରେ ରହୁଥିଲେ। ୨୦୨୧ ମାର୍ଚ୍ଚ ମାସରେ ସେ ସାଇରପୁର ସ୍ଥିତ ନିଜ ବାପଘରକୁ ଆସିଥିବା ବେଳେ ଲଖିମପୁର ଖେରୀର ବାସିନ୍ଦା ମଞ୍ଜୁର ତାଙ୍କୁ ଅପହରଣ କରିଥିଲା।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ମଞ୍ଜୁର ତାଙ୍କୁ ବିଭିନ୍ନ ସ୍ଥାନରେ ବନ୍ଦୀ ରଖି ବାରମ୍ବାର ଦୁଷ୍କର୍ମ କରିବା ସହ ଧର୍ମ ବଦଳାଇବାକୁ ଧମକ ଦେଉଥିଲା। ମଞ୍ଜୁର ଯେତେବେଳେ ସେନା ଡ୍ୟୁଟିକୁ ଯାଉଥିଲା, ସେତେବେଳେ ସେ ମହିଳାଙ୍କୁ ନିଜ ଭାଇ କମଲ ଏବଂ ସମ୍ପର୍କୀୟ ସଲମାନଙ୍କ ପାଖେ ଛାଡ଼ି ଯାଉଥିଲା। ଏହି ଦୁଇଜଣ ମଧ୍ୟ ମହିଳାଙ୍କୁ ଲୁଚାଇ ରଖିବା ସହ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। କିଛି ଦିନ ପୂର୍ବେ ଜଣେ ପଡ଼ୋଶୀଙ୍କ ସାହାଯ୍ୟରେ ମହିଳା ଜଣକ ନିଜ ପିତାଙ୍କ ସହ ଫୋନରେ ଯୋଗାଯୋଗ କରିବାରେ ସଫଳ ହୋଇଥିଲେ। ଏହାପରେ ତାଙ୍କ ପିତା ପହଞ୍ଚି ତାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ।

ଧର୍ମାନ୍ତରଣ ସହ ଜଡ଼ିତ ଏହି ଘଟଣା ପୂର୍ବରୁ ମହାରାଷ୍ଟ୍ରର ନାଶିକରେ ଥିବା ଆଇଟି କମ୍ପାନୀ ଟିସିଏସ୍ (TCS) ରୁ ମଧ୍ୟ ଏକ ବଡ଼ ମାମଲା ସାମ୍ନାକୁ ଆସିଥିଲା। ସେଠାରେ ଜବରଦସ୍ତ ଧର୍ମାନ୍ତରଣ ରାକେଟ୍ ଚଲାଇବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ନିଦା ଖାନଙ୍କୁ ଗତ ମେ ୮ ତାରିଖରେ ମହାରାଷ୍ଟ୍ର ପୋଲିସ ଗିରଫ କରିଥିଲା। ନିଦା ଖାନ ନିଜ ପରିବାର ସହ ଛତ୍ରପତି ସମ୍ଭାଜୀନଗରର ଏକ ଫ୍ଲାଟରେ ଲୁଚି ରହିଥିବା ବେଳେ ଏସଆଇଟି (SIT) ଏବଂ କ୍ରାଇମବ୍ରାଞ୍ଚର ମିଳିତ ଚଢ଼ାଉରେ ଧରାପଡ଼ିଥିଲେ।