ଅରୁଣାଚଳ ପ୍ରଦେଶ: ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ଓ ବାଦଲ ଫଟା ବର୍ଷା ପରେ ଭୂସ୍ଖଳନ ଏବଂ ହଠାତ୍ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦୁଇଟି ପୃଥକ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ସେନା ଯବାନ ନିଖୋଜ ଅଛନ୍ତି।
ଉପର ସୁବାନସିରି ଜିଲ୍ଲାରେ ରାସ୍ତା ନିର୍ମାଣସ୍ଥଳରେ ଭୂସ୍ଖଳନ ଘଟି ଶ୍ରମିକମାନେ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ସେହିପରି ଦିବାଙ୍ଗ ଉପତ୍ୟକାରେ ହଠାତ୍ ବନ୍ୟା ଆସିବାରୁ ଦୁଇଟି ସେନା ଶିବିର ଭାସିଯାଇଛି।

ରାସ୍ତା ନିର୍ମାଣସ୍ଥଳରେ ଭୂସ୍ଖଳନ, ୪ ମୃତ
ଉପର ସୁବାନସିରି ଜିଲ୍ଲାର କେଓଜାରିଂ-ଭାଇଚିଙ୍ଗ୍ ରାସ୍ତା ନିର୍ମାଣସ୍ଥଳରେ ଭୂସ୍ଖଳନ ଘଟିଥିଲା। ଭୂସ୍ଖଳନରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇଥିଲେ।
ମୃତକମାନଙ୍କ ମଧ୍ୟରେ ତାଡୁ ବାକି, ତାଜି ରାୟ, ମାର୍କୋଶ ବାସୁମାତାରୀ ଏବଂ ବାବୁଲ ଅଲି ରହିଛନ୍ତି। ବାବୁଲ ଅଲିଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କ ମୃତଦେହ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି।
ଘଟଣାସ୍ଥଳରେ ନାଚୋ ଥାନା ପୁଲିସକୁ ନିୟୋଜିତ କରାଯାଇଛି। ଡାପୋରିଜୋରୁ ଅଗ୍ନିଶମ ଓ ଜରୁରୀକାଳୀନ ସେବା ଟିମ୍କୁ ପଠାଯାଇଥିବା ବେଳେ ଏସ୍ଡିଆର୍ଏଫ୍ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି।

ବନ୍ୟାରେ ଭାସିଗଲା ଦୁଇ ସେନା ଶିବିର
ଅନ୍ୟପକ୍ଷରେ, ପ୍ରବଳ ବର୍ଷା ପରେ ଦିବାଙ୍ଗ ଉପତ୍ୟକା ଜିଲ୍ଲାର ପଶୁ ପାଣି ଅଞ୍ଚଳରେ ହଠାତ୍ ବନ୍ୟା ଆସିଥିଲା। ପ୍ରବଳ ଜଳସ୍ରୋତରେ ୫ମ ଗ୍ରେନେଡିୟର୍ସ ରେଜିମେଣ୍ଟର ଦୁଇଟି ସେନା ଶିବିର ଭାସିଯାଇଛି।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ବନ୍ୟାଜଳରେ ୭ ଜଣ ସେନା କର୍ମଚାରୀ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ଅନ୍ୟ ୫ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି।
ନିଖୋଜ ଯବାନମାନଙ୍କ ମଧ୍ୟରେ ହାବିଲଦାର ଉପେନ୍ଦ୍ରଙ୍କ ସହ କୁନ୍ଦନ, ବିନୋଦ, ଆଦିତ୍ୟ ଓ ସମୁଣ୍ଡା ରହିଛନ୍ତି। ସେମାନଙ୍କ ସନ୍ଧାନ ପାଇଁ ୫ମ ଗ୍ରେନେଡିୟର୍ସର ଦୁଇଟି ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ମୁତୟନ ହୋଇଛି।




