ୱାସିଂଟନ: ଇରାନର ନୌସେନା ଓ ବାୟୁସେନା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ଆମେରିକାର ରାଷ୍ଟ୍ରପତି Donald Trump ଦାବି କରିଛନ୍ତି। ଇରାନର ସାମରିକ କ୍ଷମତାକୁ ନେଇ ଟ୍ରମ୍ପ କହିଛନ୍ତି ଯେ, ଆମେରିକାର ଆକ୍ରମଣରେ ଇରାନ ନିଜର ବହୁ ସାମରିକ ସମ୍ପତ୍ତି ହରାଇଛି। ତେବେ ତାଙ୍କ ଦାବି ସପକ୍ଷରେ ସେ କୌଣସି ପ୍ରମାଣ ଦେଇନାହାନ୍ତି।

ନ୍ୟୁୟର୍କର ଗାର୍ଡେନ୍ ସିଟିରେ ଅପରାଧ ଓ ଆଇନ ପ୍ରବର୍ତ୍ତନ ସମ୍ପର୍କିତ ଏକ ଭାଷଣରେ ଟ୍ରମ୍ପ କହିଛନ୍ତି ଯେ ଇରାନର ନୌସେନା ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତାଙ୍କ ଦାବି ଅନୁଯାୟୀ, ଇରାନ ପାଖରେ ଥିବା ୧୫୯ଟି ଜାହାଜ ସମୁଦ୍ରରେ ବୁଡ଼ିଯାଇଛି।

୨୧୨ ବିମାନ ଧ୍ୱଂସ ଦାବି

ଟ୍ରମ୍ପ ଆହୁରି ଦାବି କରିଛନ୍ତି ଯେ ଇରାନ ନିଜର ୨୧୨ଟି ବିମାନ ହରାଇଛି। ଇରାନ ପାଖରେ ଥିବା କିଛି ଯୁଦ୍ଧବିମାନ ଆମେରିକାଠାରୁ ବହୁ ମୂଲ୍ୟରେ କିଣାଯାଇଥିବା ଏବଂ ସେଗୁଡ଼ିକୁ ମଧ୍ୟ ଗୁଳି କରି ଖସାଇ ଦିଆଯାଇଥିବା ସେ କହିଛନ୍ତି।

ତେବେ ଟ୍ରମ୍ପ ଭାଷଣରେ ଉଲ୍ଲେଖ କରିଥିବା ଏହି ସାମରିକ ସଂଖ୍ୟାଗୁଡ଼ିକ ସମ୍ପର୍କରେ କୌଣସି ପ୍ରମାଣ କିମ୍ବା ସ୍ୱାଧୀନ ଯାଞ୍ଚଯୋଗ୍ୟ ତଥ୍ୟ ଦିଆଯାଇନାହିଁ।

ଇରାନର ନେତୃତ୍ୱ ଦୁର୍ବଳ ହୋଇଛି: ଟ୍ରମ୍ପ

ଟ୍ରମ୍ପଙ୍କ ଦାବି ଅନୁସାରେ, ଇରାନର ବରିଷ୍ଠ ନେତୃତ୍ୱ ଦୁର୍ବଳ ହୋଇପଡ଼ିଛି। ଆଲୋଚନା ପାଇଁ ଇରାନ ପକ୍ଷରୁ କେହି ନେତୃତ୍ୱ ନେବା ସ୍ଥିତିରେ ନଥିବାରୁ ସମସ୍ୟା ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।

ଯଦିଓ ଇରାନ ପାଖରେ ଏବେ ମଧ୍ୟ କିଛି କ୍ଷେପଣାସ୍ତ୍ର ଓ ଡ୍ରୋନ୍ ରହିଛି, ସେଗୁଡ଼ିକ ନିର୍ମାଣ କରିବାର କ୍ଷମତା ଗୁରୁତର ଭାବେ କମିଯାଇଛି ବୋଲି ଟ୍ରମ୍ପ ଦାବି କରିଛନ୍ତି। ଏହା ସହ ଇରାନର ରାଡାର ଓ ଗୁଇନ୍ଦା ବ୍ୟବସ୍ଥା ମଧ୍ୟ ନଷ୍ଟ ହୋଇଥିବା ସେ କହିଛନ୍ତି।