ଜୟପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବିବାଦୀୟ ସ୍ଵୟଂଭୂ ବାବା ଆସାରାମଙ୍କ ଅସୁବିଧା ଆହୁରି ବୃଦ୍ଧି ପାଇଛି। ମେଡିକାଲ ପାରୋଲ୍ ଅବଧି ଶେଷ ହେବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଧପୁର ସେଣ୍ଟ୍ରାଲ ଜେଲକୁ ନଫେରିବା ଅଭିଯୋଗରେ ତାଙ୍କ ବିରୋଧରେ ପୋଲିସ ଏକ ନୂଆ ମାମଲା ରୁଜୁ କରିଛି।

ଜେଲ ପ୍ରଶାସନର ସୂଚନା ଅନୁଯାୟୀ, ଆସାରାମ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ଯୋଧପୁର ସେଣ୍ଟ୍ରାଲ ଜେଲରେ ଆତ୍ମସମର୍ପଣ କରିବାର ଥିଲା। ମାତ୍ର ସେ ନିର୍ଦ୍ଧାରିତ ସମୟରେ ନପହଞ୍ଚି ଇନ୍ଦୋରରୁ ଏୟାର ଆମ୍ବୁଲାନ୍ସ ଯୋଗେ ରାତି ପ୍ରାୟ ୧୦:୪୦ ରେ ଯୋଧପୁରରେ ପହଞ୍ଚିଥିଲେ। ରାତି ଅଧିକ ହୋଇଥିବାରୁ ଜେଲ ନିୟମାବଳୀ ଅନୁସାରେ ତାଙ୍କୁ ଜେଲ ଭିତରକୁ ପ୍ରବେଶ ଅନୁମତି ମିଳିନଥିଲା। ଫଳରେ ତାଙ୍କୁ ଭଗତ କି କୋଠି ଅଞ୍ଚଳସ୍ଥିତ ଏକ ଘରୋଇ ହସପିଟାଲକୁ ନିଆଯାଇଥିଲା। ବୁଧବାର ତାଙ୍କୁ ପୁଣି ଜେଲକୁ ଅଣାଯିବାର କାର୍ଯ୍ୟକ୍ରମ ରହିଛି।

ସମୟସୀମା ଉଲ୍ଲଂଘନ କରିଥିବାରୁ ଜେଲ ଗାର୍ଡ ବନୱାରୀଲାଲଙ୍କ ଅଭିଯୋଗ ଆଧାରରେ ଅକ୍ଟୋବର ୨୭ ତାରିଖରେ ଯୋଧପୁରର ରତନଦା ଥାନାରେ ପ୍ରିଜନ୍ସ ଆକ୍ଟ ର ଧାରା 58B ଅଧୀନରେ ମାମଲା ରୁଜୁ କରାଯାଇଛି। ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଭବାନୀ ସିଂହଙ୍କୁ ଏହି ଘଟଣାର ତଦନ୍ତ ଭାର ଦିଆଯାଇଛି।

ଗତ ଅକ୍ଟୋବର ୬ ତାରିଖରେ ରାଜସ୍ଥାନ ହାଇକୋର୍ଟ ଆସାରାମଙ୍କୁ ୨୦ ଦିନିଆ ମେଡିକାଲ ପାରୋଲ ପ୍ରଦାନ କରିଥିଲେ। ଅକ୍ଟୋବର ୨୬ ରେ ଏହି ପାରୋଲ ଅବଧି ଶେଷ ହୋଇଥିଲା ଏବଂ ତାଙ୍କୁ ପରଦିନ ସନ୍ଧ୍ୟା ସୁଦ୍ଧା ଜେଲକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଆସାରାମଙ୍କ ଆଇନଗତ ଟିମ୍ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ପାରୋଲ ଅବଧି ବୃଦ୍ଧି ପାଇଁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମାତ୍ର ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଧପୁର ସେଣ୍ଟ୍ରାଲ ଜେଲକୁ ଫେରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ଏକ ଆୟୁର୍ବେଦିକ ହସପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଯୋଧପୁର ଅଣାଯାଇଥିଲା।

୨୦୧୩ ଅଗଷ୍ଟ ମାସରେ ଯୋଧପୁର ଆଶ୍ରମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଆସାରାମ ଗିରଫ ହୋଇଥିଲେ। ୨୦୧୮ ଅପ୍ରେଲ ୨୫ ରେ ଯୋଧପୁରର ଏକ ସ୍ଵତନ୍ତ୍ର POCSO କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।

  • ଅକ୍ଟୋବର ୨୦୨୫: ରାଜସ୍ଥାନ ହାଇକୋର୍ଟ ତାଙ୍କୁ ୬ ମାସର ଅନ୍ତରୀଣ ମେଡିକାଲ ଜାମିନ ଦେଇଥିଲେ।
  • ନଭେମ୍ବର ୨୦୨୫: ଗୁଜରାଟ ହାଇକୋର୍ଟ ମଧ୍ୟ ଅନୁରୂପ ଜାମିନ ମଞ୍ଜୁର କରିଥିଲେ।
  • ୨୭ ମେ ୨୦୨୬: ରାଜସ୍ଥାନ ହାଇକୋର୍ଟ ଆସାରାମଙ୍କ ଆଜୀବନ କାରାଦଣ୍ଡାଦେଶକୁ କାଏମ ରଖିଥିଲେ।
  • ୬ ଅକ୍ଟୋବର ୨୦୨୬: ତାଙ୍କୁ ୨୦ ଦିନର ମେଡିକାଲ ପାରୋଲ ମିଳିଥିଲା।

ବର୍ତ୍ତମାନ ସମୟରେ ଜେଲରେ ନ ପହଞ୍ଚି ନିୟମ ଭଙ୍ଗ କରିଥିବାରୁ ତାଙ୍କ ବିରୋଧରେ ନୂଆ ପୋଲିସ ମାମଲା ଦାୟର ହୋଇ ତଦନ୍ତ ଜାରି ରହିଛି।