ଢାକା: ବାଂଲାଦେଶର ଜଣାଶୁଣା ହିନ୍ଦୁ ଧର୍ମଗୁରୁ ତଥା ‘ବାଂଲାଦେଶ ସମ୍ମିଳିତ ସନାତନୀ ଜାଗରଣ ଜୋଟ୍‌’ର ସ୍ପୋକ୍ସପରସନ୍ ଚିନ୍ମୟ କୃଷ୍ଣ ଦାସଙ୍କ ମା’ ସନ୍ଧ୍ୟା ରାଣୀ ଧର (୭୧)ଙ୍କର ଗୁରୁବାର ପରଲୋକ ହୋଇଛି। ଚିଟାଗଙ୍ଗ ଜିଲ୍ଲା ହାଥାଜାରୀ ସ୍ଥିତ ଶ୍ରୀ ଶ୍ରୀ ପୁଣ୍ଡରୀକ ଧାମ ଆଶ୍ରମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ପୂର୍ବରୁ ଜେଲ୍‌ରେ ଥିବା ବନ୍ଧିତ ପୁଅକୁ ଥରୁଟିଏ ଦେଖିବାର ଅଭିଳାଷ ଥିଲେ ବି, ବାଂଲାଦେଶ ପ୍ରଶାସନ ପକ୍ଷରୁ ପାରୋଲ ମିଳିନପାରିବାରୁ ତାଙ୍କର ଏହି ଶେଷ ଇଚ୍ଛା ଅପୂରଣୀୟ ରହିଯାଇଛି।

ସୂଚନାଯୋଗ୍ୟ ଯେ, ସନ୍ଧ୍ୟା ରାଣୀ ଧର କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ଚିଟାଗଙ୍ଗର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ଶେଷ ସମୟରେ ହସ୍ପିଟାଲରେ ନରହି ପୁଅ ଦୀର୍ଘଦିନ ଧରି ରହୁଥିବା ପୁଣ୍ଡରୀକ ଧାମ ଆଶ୍ରମକୁ ଯିବାକୁ ସେ ଜିଦ୍‌ କରିଥିଲେ। ପୁଅର ଜେଲ୍‌ଦଣ୍ଡ, ବାରମ୍ବାର ଜାମିନ ନାମଞ୍ଜୁର ଏବଂ ଶାରୀରିକ ଅସୁସ୍ଥତା ଖବର ଶୁଣି ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ।

ଚିନ୍ମୟଙ୍କ ଭାଇ ଅଞ୍ଜନ କୁମାର ଧର କାନ୍ଦି କାନ୍ଦି କହିଛନ୍ତି, “ମୋ ମା’ ଆମକୁ ଛାଡ଼ି ଚାଲିଗଲେ। ଜୀବିତ ଅବସ୍ଥାରେ ମୋ ଭାଇ ମା’କୁ ଟିକିଏ ଦେଖିବାକୁ ବି ପାଇଲାନି।”

ଗୁରୁବାର ମୃତ୍ୟୁ ପୂର୍ବରୁ ବୁଧବାର ଦିନ ଚିନ୍ମୟଙ୍କ ପରିବାର ପକ୍ଷରୁ ଚିଟାଗଙ୍ଗ ଡେପୁଟି କମିଶନରଙ୍କ ନିକଟରେ ସାମୟିକ ପାରୋଲ ଆବେଦନ କରାଯାଇଥିଲା। ମାତ୍ର ବାଂଲାଦେଶୀ ଆଇନ ଅନୁସାରେ କେବଳ ଅସୁସ୍ଥ ସମ୍ପର୍କୀୟଙ୍କୁ ଦେଖା କରିବା ପାଇଁ ପାରୋଲ ଦେବାର କୌଣସି ନିୟମ ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଦେଇଥିଲା। ଚିଟାଗଙ୍ଗର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ସାୟଦ ମହବୁବୁଲ ହକ୍‌ କହିଛନ୍ତି ଯେ, କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ହେଲେ ହିଁ ପାରୋଲ ଦିଆଯିବାର ନିୟମ ରହିଛି, ଯାହା ପରିବାରକୁ ଜଣାଇ ଦିଆଯାଇଥିଲା।

ମା’ଙ୍କ ମୃତ୍ୟୁ ପରେ ପରିବାର ଲୋକେ ମେଡିକାଲ ସାର୍ଟିଫିକେଟ୍‌ ସହ ଚିନ୍ମୟ କୃଷ୍ଣ ଦାସଙ୍କୁ ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ପାରୋଲରେ ମୁକ୍ତ କରିବାକୁ ପୁନର୍ବାର ଆବେଦନ କରିଛନ୍ତି। ହାଥାଜାରୀ ସ୍ଥିତ ପୁଣ୍ଡରୀକ ଧାମରେ ହିଁ ତାଙ୍କ ମା’ଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।

ପ୍ରକାଶଯୋଗ୍ୟ, ୨୦୨୪ ନଭେମ୍ବର ୨୫ ରେ ଢାକାରୁ ଗିରଫ ହୋଇଥିବା ଚିନ୍ମୟ କୃଷ୍ଣ ଦାସଙ୍କୁ ନିକଟରେ ହାଇକୋର୍ଟ ଦୁଇଟି ମାମଲାରେ ଜାମିନ୍‌ ପ୍ରଦାନ କରିଥିଲେ ମଧ୍ୟ ଅନ୍ୟ କିଛି ମାମଲା ପାଇଁ ସେ ଏପର୍ଯ୍ୟନ୍ତ ଜେଲ୍‌ରେ ବନ୍ଦୀ ଅଛନ୍ତି।