କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ବଡ଼ ଝଟ୍‌କା। ସିଙ୍ଗଲ-ଜଜ୍‌ ବେଞ୍ଚ ଦ୍ୱାରା ଦିଆଯାଇଥିବା ଅନ୍ତରୀଣ ପୋଲିସ୍ ସୁରକ୍ଷା ନିର୍ଦ୍ଦେଶକୁ ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ ପ୍ରତ୍ୟାହାର କରାଇ ନେଇଛନ୍ତି। ଫଳରେ ନୂଆ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ଗିରଫଦାରୀରୁ ମିଳିଥିବା ସୁରକ୍ଷା ଆଉ ମିଲନଙ୍କ ପାଖରେ ରହିଲା ନାହିଁ।

ପୂର୍ବରୁ ସିଙ୍ଗଲ-ଜଜ୍‌ ଜଷ୍ଟିସ ସୌଗତ ଭଟ୍ଟାଚାର୍ଯ୍ୟଙ୍କ ବେଞ୍ଚ ନିର୍ଦ୍ଦେଶ ଦେଇଥିଲେ ଯେ, ପୁରୁଣା ଦୁଇଟି ମାମଲାକୁ ଛାଡ଼ି ମିଲନଙ୍କ ବିରୋଧରେ ଅକ୍ଟୋବର ୧୨ ପର୍ଯ୍ୟନ୍ତ କୌଣସି ନୂଆ ମାମଲା ରୁଜୁ କରାଯାଇପାରିବ ନାହିଁ କିମ୍ବା ଗିରଫ କରାଯାଇପାରିବ ନାହିଁ। ମାତ୍ର ରାଜ୍ୟ ସରକାର ଏହାକୁ କଲିକତା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ରବୀନ୍ଦ୍ର ବିଠଲରାଓ ଘୁଗେ ଏବଂ ଜଷ୍ଟିସ ଓମ୍ ପ୍ରକାଶ ରାୟଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ। ଶୁକ୍ରବାର ଶୁଣାଣି ଶେଷରେ ଡିଭିଜନ ବେଞ୍ଚ ଏହି ଅନ୍ତରୀଣ ସୁରକ୍ଷାକୁ ରଦ୍ଦ କରିଛନ୍ତି।

ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଥିଲେ। କେବଳ ନିର୍ବାଚନ ଲଢ଼ୁଥିବା ଯୋଗୁଁ କେହି ସ୍ୱତନ୍ତ୍ର ନାଗରିକ ହୋଇଯାଆନ୍ତି ନାହିଁ। ଭିଆଇପି ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଆଇନଗତ କୌଣସି ପାର୍ଥକ୍ୟ ନାହିଁ। କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନ ଲଢ଼ିବାର ଅଧିକାର ରହିଛି, ମାତ୍ର ଆଇନ ଉଲ୍ଲଂଘନ କରି ନୁହେଁ। ଆଗୁଆ ଜାମିନ ଆବେଦନ ନକରି ଅନ୍ତରୀଣ ସୁରକ୍ଷା ପାଇଁ କେଉଁ ଆଇନଗତ ପ୍ରାବଧାନ ଆଧାରରେ ଆବେଦନ କରାଯାଇଥିଲା, ସେ ନେଇ କୋର୍ଟ ପ୍ରଶ୍ନ ଉଠାଇଛନ୍ତି।

ମିଲନ ପ୍ରଧାନ ୨୦୦୭ ମସିହାର ଏକ ହତ୍ୟା ମାମଲାରେ ଅକ୍ଟୋବର ୩ ଏବଂ ଅନ୍ୟ ଏକ ମାମଲାରେ ଅକ୍ଟୋବର ୫ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ଅଛନ୍ତି। ସେପ୍ଟେମ୍ବର ୧୮ ତାରିଖରେ ମମତା ବାନାର୍ଜୀ ନନ୍ଦୀଗ୍ରାମରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ହିଁ ପୋଲିସ ମିଲନଙ୍କୁ ଗିରଫ କରିଥିଲା।

ଅକ୍ଟୋବର ୬ ତାରିଖରେ ନନ୍ଦୀଗ୍ରାମ ଓ ରେଜିନଗର ଆସନ ପାଇଁ ଉପନିର୍ବାଚନ ହେବାକୁ ଥିବା ବେଳେ ଅକ୍ଟୋବର ୯ ରେ ଫଳାଫଳ ପ୍ରକାଶ ପାଇବ। କୋର୍ଟଙ୍କ ଏହି ଆଦେଶ ପରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଅସୁବିଧା ଆହୁରି ବୃଦ୍ଧି ପାଇଛି।