କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବକ୍ରିଦ୍ ପୂର୍ବରୁ ଗାଈ, ବଳଦ, ଷଣ୍ଢ ଓ ମଇଁଷି ଆଦିଙ୍କ ବଳି ଉପରେ ଲଗାଯାଇଥିବା କଟକଣାକୁ କାଏମ ରଖିଛନ୍ତି କଲକାତା ହାଇକୋର୍ଟ । ଏହି ବିଜ୍ଞପ୍ତି ଉପରେ ରୋକ୍ ଲଗାଇବାକୁ କୋର୍ଟ ମନା କରିଦେଇଛନ୍ତି । ଚିଫ୍ ଜଷ୍ଟିସ ସୁଜୟ ପଲ୍ ଓ ଜଷ୍ଟିସ ପାର୍ଥ ସାରଥୀ ସେନଙ୍କ ବେଞ୍ଚ କହିଛନ୍ତି ଯେ, ସରକାରଙ୍କ ମେ ୧୩ ର ନୋଟିସ୍ ପ୍ରକୃତରେ ୨୦୧୮ ମସିହାରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶର ହିଁ ଅନୁପାଳନ ଅଟେ ।

ସରକାରଙ୍କ ନୂଆ ନିୟମ ଅନୁଯାୟୀ, ଉପଯୁକ୍ତ ପ୍ରମାଣପତ୍ର ବିନା ଏବଂ ସରକାରୀ ଅନୁମୋଦିତ କସାଇଖାନା ବାହାରେ ଏହିସବୁ ପଶୁମାନଙ୍କର ବଳି କରାଯାଇପାରିବ ନାହିଁ ।

ଟିଏମସି ବିଧାୟକ ଅଖରୁଜ୍ଜାମାନ ଓ ଅନ୍ୟମାନଙ୍କ ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ଅନୁସାରେ ଇସଲାମରେ ବକ୍ରିଦ୍ ସମୟରେ ଗୋବଳି ଦେବା କୌଣସି ଅପରିହାର୍ଯ୍ୟ କିମ୍ବା ବାଧ୍ୟତାମୂଳକ ପ୍ରଥା ନୁହେଁ ।

ଆସନ୍ତା ଜୁନ୍ ୨୭-୨୮ ରେ ପର୍ବ ଥିବାରୁ, କୋହଳ ପାଇଁ ଆସିଥିବା ଆବେଦନଗୁଡ଼ିକ ଉପରେ ୨୪ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ।