ଉତ୍ତରପ୍ରଦେଶର କାନପୁର ସେଣ୍ଟ୍ରାଲ ରେଳ ଷ୍ଟେସନରେ ବୁଧବାର ସନ୍ଧ୍ୟାରେ ଚୌରୀଚୌରା ଏକ୍ସପ୍ରେସ୍ର ୩ଟି AC ଥାର୍ଡ କୋଚ୍ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ଟି ପ୍ଲାଟଫର୍ମ ନମ୍ବର ୭ରୁ ଗୋରଖପୁର ଅଭିମୁଖେ ଯାତ୍ରା ଆରମ୍ଭ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଟ୍ରେନ୍ର ଗତି କମ୍ ଥିବାରୁ ବଡ଼ ଧରଣର ଅଘଟଣ ଟଳିଯାଇଥିବା କୁହାଯାଉଛି। ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହେବାର ଖବର ମିଳିନାହିଁ।
ସୂଚନା ଅନୁସାରେ, ଟ୍ରେନ୍ ନମ୍ବର ୧୫୦୦୩ ଚୌରୀଚୌରା ଏକ୍ସପ୍ରେସ୍ କାନପୁର ଅନୱରଗଞ୍ଜରୁ ଗୋରଖପୁର ଯାଉଥିଲା। ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ୫ ମିନିଟ୍ ସମୟରେ ଟ୍ରେନ୍ଟି କାନପୁର ସେଣ୍ଟ୍ରାଲ ଷ୍ଟେସନରୁ ବାହାରିବାର କିଛି ସମୟ ପରେ ଏହାର B4, B5 ଓ B6 କୋଚ୍ ଲାଇନଚ୍ୟୁତ ହୋଇଥିଲା।
ଘଟଣା ପରେ ଟ୍ରେନ୍ ଭିତରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ରେଳବାଇ କର୍ମଚାରୀ ଓ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରିବା ସହ ଉଦ୍ଧାର ଓ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ।
ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି। ଲାଇନଚ୍ୟୁତ ହେବାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ କରାଯିବ। ଦୁର୍ଘଟଣା ଯୋଗୁଁ ପ୍ଲାଟଫର୍ମ ନମ୍ବର ୭ରେ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।
ଯାତ୍ରୀଙ୍କ ସୁରକ୍ଷା ଓ ରେଳ ଚଳାଚଳ ସ୍ୱାଭାବିକ କରିବା ଉପରେ ରେଳବାଇ ପ୍ରଶାସନ ଗୁରୁତ୍ୱ ଦେଇଛି। ତଦନ୍ତ ପରେ ଦୁର୍ଘଟଣାର କାରଣ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।




