ରାୟପୁର: ବନ୍ୟା ପ୍ରଭାବିତ ଆସାମରେ ରିଲିଫ୍‌ ଓ ପୁନର୍ବାସ କାର୍ଯ୍ୟ ପାଇଁ ଛତିଶଗଡ଼ ସରକାର ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ରବିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏହି ସହାୟତା ଘୋଷଣା କରିବା ସହ ବିପର୍ଯ୍ୟୟର ଏହି କଠିନ ସମୟରେ ଛତିଶଗଡ଼ବାସୀ ଆସାମର ଲୋକଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛନ୍ତି ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ସାଏ ରବିବାର ଫୋନ୍‌ ଯୋଗେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ କଥା ହୋଇ ବନ୍ୟା ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ଆସାମର ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ନେଇ ସାଏ ଚିନ୍ତା ପ୍ରକାଶ କରିଥିଲେ।

ସେ କହିଛନ୍ତି ଯେ, ଏଭଳି କଠିନ ସମୟରେ ଛତିଶଗଡ଼ର ଲୋକମାନେ ଆସାମବାସୀଙ୍କ ସହ ଅଛନ୍ତି। ବନ୍ୟା ପରେ ରିଲିଫ୍‌ ଓ ପୁନର୍ବାସ କାର୍ଯ୍ୟକୁ ସହାୟତା କରିବା ପାଇଁ ଛତିଶଗଡ଼ ସରକାର ୫ କୋଟି ଟଙ୍କା ପ୍ରଦାନ କରିବେ।

ଏହି ଆର୍ଥିକ ସହାୟତା ମାଧ୍ୟମରେ ଆସାମ ସରକାର ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍‌ ସାମଗ୍ରୀ ଓ ଆବଶ୍ୟକ ସହାୟତା ପ୍ରଦାନ ସହ ପୁନର୍ବାସ କାର୍ଯ୍ୟକୁ ଆଗେଇ ନେଇପାରିବେ।