ଭୁବନେଶ୍ୱର: ରାଜ୍ୟରେ ୨୦୨୭ ମସିହାର ଯୁକ୍ତ ଦୁଇ ବା +୨ ବାର୍ଷିକ ପରୀକ୍ଷାକୁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ କଡ଼ା ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)। ରାଜ୍ୟର ସମସ୍ତ ଅନୁବନ୍ଧିତ ଉଚ୍ଚ ମାଧ୍ୟମିକ ସ୍କୁଲ ଓ କଲେଜକୁ ନଭେମ୍ବର ୩୦, ୨୦୨୬ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ CCTV କ୍ୟାମେରା ସ୍ଥାପନ ସହ ଏହାର କାର୍ଯ୍ୟକ୍ଷମତା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପରୀକ୍ଷା ସମୟରେ ଅନିୟମିତତା ରୋକିବା ଏବଂ ପ୍ରଶ୍ନପତ୍ରର ସୁରକ୍ଷା ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। CHSE ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ପରୀକ୍ଷା ପରିଚାଳନା କେନ୍ଦ୍ରର ସୁରକ୍ଷିତ କକ୍ଷ (ଷ୍ଟ୍ରଙ୍ଗ୍ରୁମ୍), କେନ୍ଦ୍ର ଅଧୀକ୍ଷକଙ୍କ କାର୍ଯ୍ୟାଳୟ, ପରୀକ୍ଷା ହଲ୍ ଏବଂ ସେଲ୍ଫ ଫାଇନାନ୍ସିଂ ଉଚ୍ଚ ମାଧ୍ୟମିକ ସ୍କୁଲର ପରୀକ୍ଷାଗାରରେ CCTV ବ୍ୟବସ୍ଥା ରହିବ।
ପରିଷଦର ଅଧିକାରୀମାନେ ଏହି କ୍ୟାମେରା ମାଧ୍ୟମରେ ପରୀକ୍ଷା ସମ୍ପର୍କିତ କାର୍ଯ୍ୟକଳାପ ଉପରେ ନଜର ରଖିପାରିବେ। ଏଥିସହ କ୍ୟାମେରାଗୁଡ଼ିକ ଠିକ୍ ଭାବେ କାମ କରୁଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯିବ।
CHSEର ଏହି ନିର୍ଦ୍ଦେଶକୁ ଗୁରୁତ୍ୱର ସହ ନେବାକୁ ସମସ୍ତ ଶିକ୍ଷାନୁଷ୍ଠାନକୁ କୁହାଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ CCTV ବ୍ୟବସ୍ଥା ସ୍ଥାପନ ଓ କାର୍ଯ୍ୟକ୍ଷମ କରିବାରେ ବିଫଳ ହେଲେ ସମ୍ପୃକ୍ତ କେନ୍ଦ୍ରକୁ ପରୀକ୍ଷା ପରିଚାଳନା ଦାୟିତ୍ୱରୁ ବାଦ୍ ଦିଆଯାଇପାରେ।
ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା, ନକଲ ରୋକିବା ଓ ପ୍ରଶ୍ନପତ୍ରର ସୁରକ୍ଷିତ ପରିଚାଳନା ପାଇଁ CHSE ଏହି ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛି।




