ନୂଆଦିଲ୍ଲୀ: ନାଗରିକତା ପ୍ରଦାନ ପ୍ରକ୍ରିୟାକୁ ଆହୁରି ସରଳ ଓ ଶୀଘ୍ର କରିବା ପାଇଁ ସୀମାନ୍ତ ଅଞ୍ଚଳର ଜିଲ୍ଲାପାଳମାନଙ୍କୁ ଅଧିକ କ୍ଷମତା ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାଗରିକତା ନିୟମ, ୨୦୦୯ରେ ସଂଶୋଧନ କରି ଏହି ବ୍ୟବସ୍ଥା କରିଛି।

ଗୁରୁବାର ଜାରି ହୋଇଥିବା ‘ସିଟିଜେନସିପ୍‌ (ଥାର୍ଡ ଆମେଣ୍ଡମେଣ୍ଟ) ରୁଲ୍ସ, ୨୦୨୬’ ଅନୁଯାୟୀ, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରା ସମେତ ଜମ୍ମୁ-କାଶ୍ମୀର ଓ ଲଦାଖର ନିର୍ଦ୍ଦିଷ୍ଟ ଜିଲ୍ଲାର ଜିଲ୍ଲାପାଳମାନେ ନାଗରିକତା ଆବେଦନ ଗ୍ରହଣ, ଯାଞ୍ଚ ଓ ତାହା ଉପରେ ନିଷ୍ପତ୍ତି ନେଇପାରିବେ। ତେବେ ଆସାମ ଓ ତ୍ରିପୁରାର ଜନଜାତି ଅଞ୍ଚଳଗୁଡ଼ିକୁ ଏହି ବ୍ୟବସ୍ଥାରୁ ବାଦ ଦିଆଯାଇଛି।

କେଉଁମାନେ ପାଇବେ ସୁବିଧା?

ନୂଆ ବ୍ୟବସ୍ଥା ନାଗରିକତା ଆଇନର ଧାରା ୬ବି ଅନୁଯାୟୀ ନାଗରିକତା ପାଇଁ ଆବେଦନ କରୁଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଲାଗୁ ହେବ। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ ଓ ପାର୍ସୀ ସମ୍ପ୍ରଦାୟର ଯୋଗ୍ୟ ଆବେଦନକାରୀଙ୍କ ଆବେଦନ ଏହି ପ୍ରକ୍ରିୟାରେ ବିଚାର କରାଯିବ।

ଆବେଦନକାରୀ ନିଜ ଅଞ୍ଚଳର ଜିଲ୍ଲାପାଳଙ୍କ ନିକଟରେ ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ଦାଖଲ ହେବା ପରେ ସ୍ୱୟଂଚାଳିତ ଭାବେ ଏକ ସ୍ୱୀକୃତିପତ୍ର ମିଳିବ।

ଦଲିଲ ଯାଞ୍ଚ ପରେ ନିଷ୍ପତ୍ତି

ଜିଲ୍ଲାପାଳ ଆବେଦନ ସହ ଦାଖଲ ହୋଇଥିବା ଦଲିଲପତ୍ର ଯାଞ୍ଚ କରିବେ। ଆବଶ୍ୟକ ହେଲେ ଆବେଦନକାରୀଙ୍କ ଯୋଗ୍ୟତା ସମ୍ପର୍କରେ ଅଧିକ ତଦନ୍ତ ମଧ୍ୟ କରାଯାଇପାରିବ। ଆବେଦନକାରୀ ନାଗରିକତା ପାଇଁ ‘ଯୋଗ୍ୟ ଓ ଉପଯୁକ୍ତ’ ବୋଲି ନିଶ୍ଚିତ ହେବା ପରେ ଜିଲ୍ଲାପାଳ ନାଗରିକତା ପ୍ରଦାନ କରିପାରିବେ।

ଏହା ପୂର୍ବରୁ ସିଏଏ ଅଧୀନରେ ଗଠିତ କ୍ଷମତାପ୍ରାପ୍ତ କମିଟି ଓ ଜିଲ୍ଲାସ୍ତରୀୟ କମିଟିଗୁଡ଼ିକ ଏହି ଆବେଦନଗୁଡ଼ିକ ଉପରେ ନିଷ୍ପତ୍ତି ନେଉଥିଲେ। ଏବେ ସମ୍ପୃକ୍ତ ଅଞ୍ଚଳରେ ଏହି କମିଟିଗୁଡ଼ିକ ନିକଟରେ ବିଚାରାଧୀନ ଥିବା ଆବେଦନଗୁଡ଼ିକୁ ଜିଲ୍ଲାପାଳଙ୍କ ନିକଟକୁ ତୁରନ୍ତ ସ୍ଥାନାନ୍ତର କରାଯିବ।

ବ୍ୟକ୍ତିଗତ ଉପସ୍ଥିତି ଜରୁରୀ

ନୂଆ ନିୟମରେ ଆବେଦନକାରୀଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାପାଳ ଆବେଦନକାରୀଙ୍କୁ ଶପଥ ଗ୍ରହଣ କରାଇବା ସହ ନାଗରିକତା ଆଇନ ଅନୁଯାୟୀ ତାଙ୍କ ଯୋଗ୍ୟତା ନିର୍ଦ୍ଧାରଣ କରିବେ।

ଯଥେଷ୍ଟ ସୁଯୋଗ ଦିଆଯିବା ସତ୍ତ୍ୱେ ଆବେଦନକାରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ଆବେଦନ ଦାଖଲ ନ କଲେ କିମ୍ବା ନିଷ୍ଠାର ଶପଥ ନ ନେଲେ, ତାଙ୍କ ଆବେଦନ ଖାରଜ ହୋଇପାରିବ। ନୂଆ ବ୍ୟବସ୍ଥା ଦ୍ୱାରା ନାଗରିକତା ଆବେଦନର ନିଷ୍ପତ୍ତି ପ୍ରକ୍ରିୟା ସ୍ଥାନୀୟ ସ୍ତରରେ ଆହୁରି ଶୀଘ୍ର ହେବ ବୋଲି ଆଶା କରାଯାଉଛି।