ହରିଦ୍ୱାର: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଦିନ ହରିଦ୍ୱାର ସ୍ଥିତ ଚଣ୍ଡୀ ଘାଟରେ ନିଜ ସ୍ୱର୍ଗତ ମାତା ସାବିତ୍ରୀ ଦେବୀଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମାତାଙ୍କ ବିୟୋଗରେ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, “ପ୍ରଭୁ ଶ୍ରୀରାମଙ୍କ ଶ୍ରୀଚରଣରେ ମାଆଙ୍କୁ ପରମ ଶାନ୍ତି ମିଳୁ।”
ଶନିବାର ଦିନ ବହୁ ସଂଖ୍ୟକ ସାଧୁସନ୍ଥ, ରାଜନୈତିକ ନେତୃବୃନ୍ଦ ଏବଂ ସାଧାରଣ ଜନତାଙ୍କ ଉପସ୍ଥିତିରେ ଚଣ୍ଡୀ ଘାଟଠାରେ ମୁଖ୍ୟମନ୍ତ୍ରୀଙ୍କ ମାତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଏହି ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଯୋଗ ଗୁରୁ ବାବା ରାମଦେବ, ପରମାର୍ଥ ନିକେତନର ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଦିବଙ୍ଗତ ଆତ୍ମାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ‘ଏକ୍ସ’ରେ ଶୋକ ପ୍ରକାଶ କରି ଲେଖିଛନ୍ତି ଯେ, “ଜୀବନରେ ମାଆର ସ୍ନେହ, ମମତା ଏବଂ ଆଶୀର୍ବାଦ ଏକ ଅମୂଲ୍ୟ ସମ୍ପଦ, ଯାହାର କୌଣସି ବିକଳ୍ପ ନାହିଁ। ତାଙ୍କର ବିୟୋଗ ଜୀବନରେ ଏପରି ଏକ ଶୂନ୍ୟସ୍ଥାନ ସୃଷ୍ଟି କରେ ଯାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଭଗବାନ ଏହି ପୂଣ୍ୟାତ୍ମାଙ୍କୁ ନିଜ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ।”
ଆଜି ସକାଳେ ଉତ୍ତରାଖଣ୍ଡର ପାଉରୀ ଗଡ଼ୱାଲ ଜିଲ୍ଲା ଯମକେଶ୍ୱର ଅଞ୍ଚଳ ସ୍ଥିତ ଯୋଗୀ ଆଦିତ୍ୟନାଥଙ୍କ ପୈତୃକ ଗ୍ରାମ ପଞ୍ଚୁରରୁ ସାବିତ୍ରୀ ଦେବୀଙ୍କ ପାର୍ଥିବ ଶରୀରକୁ ହରିଦ୍ୱାରର ଚଣ୍ଡୀ ଘାଟକୁ ଅଣାଯାଇଥିଲା। ମାଆଙ୍କୁ ଅନ୍ତିମ ବିଦାୟ ଦେବା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ। ଅନ୍ତିମ ଦର୍ଶନ ବେଳେ ତାଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା ଏବଂ ସେ ରୁମାଲରେ ଆଖି ପୋଛୁଥିବା ଦେଖିବାକୁ ମିଳିଥିଲା।
ପୂର୍ବରୁ ପୈତୃକ ଗ୍ରାମ ପଞ୍ଚୁରଠାରେ ସେ ମାଆଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ନିଜ କାନ୍ଧରେ ମାତାଙ୍କ କୋକେଇ ବୋହିଥିଲେ। ପୈତୃକ ଗ୍ରାମରୁ ହରିଦ୍ୱାର ପର୍ଯ୍ୟନ୍ତ ପ୍ରାୟ ୯୦ କିଲୋମିଟର ବ୍ୟାପୀ ଶବଯାତ୍ରାରେ ମଧ୍ୟ ସେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାଆଙ୍କ କୋକେଇକୁ କାନ୍ଧ ଦେଇଥିବାର ଏକ ଫଟୋ ସେୟାର କରିବା ସହିତ ମହାଭାରତର ଏକ ଶ୍ଳୋକ ଉଲ୍ଲେଖ କରିଛନ୍ତି। ଏହି ଶ୍ଳୋକ ମାଧ୍ୟମରେ ସେ ଜୀବନରେ ମାଆର ଅତୁଳନୀୟ ସ୍ଥାନକୁ ବର୍ଣ୍ଣନା କରି କହିଛନ୍ତି ଯେ, ଦୁନିଆରେ ମାଆଠାରୁ ବଡ଼ କୌଣସି ଛାୟା, ଆଶ୍ରୟ କିମ୍ବା ସୁରକ୍ଷା ନାହିଁ ଏବଂ ମାଆର ସ୍ନେହ ଓ ଯତ୍ନର ତୁଳନା କେହି କରିପାରିବେ ନାହିଁ।




