ନୂଆଦିଲ୍ଲୀ:କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଅପରାହ୍ନ ୪.୦୫ ମିନିଟ୍‌ରେ ଶପଥ ନେବେ ଡି.କେ. ଶିବକୁମାର। ବେଙ୍ଗାଲୁରୁର ଲୋକ ଭବନସ୍ଥିତ ଗ୍ଲାସ୍ ହାଉସଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ଶିବକୁମାରଙ୍କ ସହ ନୂତନ କ୍ୟାବିନେଟ୍ ସଦସ୍ୟମାନେ ମଧ୍ୟ ଶପଥ ଗ୍ରହଣ କରିବେ।ଏହି କାର୍ଯ୍ୟକ୍ରମରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନେକ ବରିଷ୍ଠ ନେତା ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଶପଥ ଗ୍ରହଣ ଉତ୍ସବରେ ସମାଜର ସବୁ ବର୍ଗଙ୍କୁ ସାମିଲ କରାଯାଇଛି।

ସାଧାରଣ ଖଟିଖିଆ ଦିନମଜୁରିଆ, ସଫେଇ କର୍ମଚାରୀ, ଚାଷୀ, ଦଳିତ ଓ ପଛୁଆ ବର୍ଗର ପ୍ରତିନିଧି ଏବଂ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ସେହିପରି ସିନେମା ଜଗତ, ଗଣମାଧ୍ୟମ, କ୍ରୀଡ଼ା ଓ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମଧ୍ୟ ଏଥିରେ ଉପସ୍ଥିତ ରହିବେ।

ଶପଥ ଗ୍ରହଣ ପୂର୍ବରୁ ଶିବକୁମାର କହିଛନ୍ତି ଯେ ତାଙ୍କ ନେତୃତ୍ୱରେ ରାଜ୍ୟରେ “ଯୁବକମାନଙ୍କ ପାଇଁ ଏକ ନୂତନ ଯୁଗ” ଆରମ୍ଭ ହେବ। ଏହି ସଫଳତାକୁ ସେ କଂଗ୍ରେସ କର୍ମୀଙ୍କ ବିଜୟ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି, “ଦଳ ଜଣେ ନେତାଙ୍କୁ ନୁହେଁ, ବରଂ ଜଣେ ସାଧାରଣ କର୍ମୀଙ୍କୁ ଏହି ସୁଯୋଗ ଦେଇଛି। ଆଗାମୀ ପଥ ସହଜ ନୁହେଁ, କିନ୍ତୁ ସମସ୍ତ ବର୍ଗଙ୍କୁ ସାଥୀରେ ନେଇ ମୁଁ କର୍ଣ୍ଣାଟକର ପ୍ରଗତି ପାଇଁ ଦେଶଭକ୍ତି ଓ ନିଷ୍ଠାର ସହ କାମ କରିବି।”