ନୂଆଦିଲ୍ଲୀ: ନୂଆଦିଲ୍ଲୀ ବିଧାନସଭା, ସର୍ଦ୍ଧାର ପଟେଲ ବିଦ୍ୟାଳୟ (SPV) ଏବଂ ଅନ୍ୟାନ୍ୟ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଇମେଲ୍ ମାଧ୍ୟମରେ ବୋମା ଫୁଟାଇବାକୁ ଧମକ ମିଳିବା ପରେ ରାଜଧାନୀରେ ଆତଙ୍କ ଖେଳିଯାଇଛି। ମଙ୍ଗଳବାର ସକାଳ ସମୟରେ ଏହି ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ସତର୍କ ହୋଇସାରିଛନ୍ତି ଏବଂ ନିର୍ଦ୍ଧାରିତ ମାନକ ପରିଚାଳନା ପଦ୍ଧତି (SOP) ଅନୁଯାୟୀ ପ୍ରଭାବିତ ସ୍ଥାନଗୁଡ଼ିକରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି।

ସୂଚନା ପାଇବା ମାତ୍ରକେ ଦିଲ୍ଲୀ ପୁଲିସ, ବୋମା ନିଷ୍କ୍ରିୟକାରୀ ଦଳ, ସ୍ନିଫର ଡଗ୍ ସ୍କ୍ବାଡ୍ ଏବଂ ଦିଲ୍ଲୀ ଅଗ୍ନିଶମ ସେବାର ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳଗୁଡ଼ିକୁ ସିଲ୍ କରିଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ସମସ୍ତ ପରିସରକୁ ଖାଲି କରାଯାଇ ଆଣ୍ଟି-ସାବୋଟେଜ୍ ଚେକିଂ କରାଯାଇଛି।

ସୁରକ୍ଷା ବାହିନୀର ପୁଙ୍ଖାନୁପୁଙ୍ଖ ଛାନ୍‌ଭିନ୍ ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା ବିସ୍ଫୋରକ ମିଳିନାହିଁ। ଅଧିକାରୀଙ୍କ ସୂଚନା ଅନୁଯାୟୀ, ସମସ୍ତ ସନ୍ଦେହଜନକ ସ୍ଥାନକୁ କଡ଼ା ନଜର ରଖାଯାଇଛି ଏବଂ ସାବଧାନତା ବଶତଃ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ସେପଟେ ଇମେଲ୍‌ର ଉତ୍ସ ଏବଂ ଏହା ପଛରେ ଥିବା ପ୍ରକୃତ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ସାଇବର ସେଲ୍ ଏବଂ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି।

ଦିଲ୍ଲୀ ବିଧାନସଭାକୁ ପୂର୍ବରୁ ମଧ୍ୟ ଏହିପରି ବୋମା ଧମକ ମିଳିସାରିଛି, ଯାହା ସୁରକ୍ଷା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛନ୍ତି। ସ୍ୱାଧୀନତା ଦିବସ ପୂର୍ବରୁ ଅଗଷ୍ଟ ୧୪ ତାରିଖରେ ଦିଲ୍ଲୀ ହାଇକୋର୍ଟ ସହ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସମାନ ଧରଣର ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା।

ହାଇକୋର୍ଟକୁ ପଠାଯାଇଥିବା ଇମେଲ୍‌ର ଶୀର୍ଷକ ‘BOMB Blast Delhi High Court @ 2:11PM’ ରହିଥିଲା, ଯେଉଁଥିରେ ଅଗଷ୍ଟ ୧୫ ତାରିଖ ଅପରାହ୍ନ ୨:୧୧ ରେ ବିସ୍ଫୋରଣ ହେବ ବୋଲି ଦାବି କରାଯାଇଥିଲା। ଏହା ସହିତ ଅପରାହ୍ନ ୩:୧୧ ରେ ଜିଲ୍ଲା କୋର୍ଟଗୁଡ଼ିକରେ ବିସ୍ଫୋରଣ ନେଇ ଧମକ ଦିଆଯାଇଥିଲା।

ଏହା ବ୍ୟତୀତ ଫୋନ୍ କଲ୍ ମାଧ୍ୟମରେ ଜାମନଗର ହାଉସ୍, ଝାଣ୍ଡେୱାଲାନ୍ ବିଲ୍ଡିଂ, ସାକେତ MB ରୋଡ୍ କାର୍ଯ୍ୟାଳୟ, ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ (IGI) ବିମାନବନ୍ଦରର ଟର୍ମିନାଲ୍-୩, ଏବଂ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର SDM କାର୍ଯ୍ୟାଳୟ ପରି ୫ଟି ପ୍ରମୁଖ ସ୍ଥାନକୁ ବୋମା ଉଡ଼ାଇଦେବାକୁ ଧମକ ଦିଆଯାଇଥିଲା।

ବାରମ୍ବାର ଏପରି ଭୟାନକ ଧମକପୂର୍ଣ୍ଣ ଇମେଲ୍ ଆସୁଥିବାରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।