ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍କୁ ମିଳିଛି ବଡ଼ ସଫଳତା। ପାକିସ୍ତାନ ସମର୍ଥିତ ଏକ ଗୁପ୍ତଚର ନେଟୱାର୍କର ପର୍ଦ୍ଦାଫାଶ କରି ପୋଲିସ ଜଣେ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମହମ୍ମଦ ସାହିଲ ଏବଂ ତାଙ୍କ ସ୍ତ୍ରୀ ସମୀରା। ସେମାନଙ୍କ ବିରୋଧରେ ଭାରତୀୟ ସିମ୍ କାର୍ଡ ଯୋଗାଇବା ଏବଂ ସେଗୁଡ଼ିକୁ ସୀମା ପାର୍ରେ ହାଟସଆପ୍ ଆକାଉଣ୍ଟ ଚଲାଇବା ପାଇଁ ବ୍ୟବହାର କରିବାକୁ ସୁଯୋଗ ଦେବା ନେଇ ଗୁରୁତର ଅଭିଯୋଗ ହୋଇଛି।
ଦୁବାଇ ଦେଇ ପାକିସ୍ତାନ ପହଞ୍ଚୁଥିଲା ସିମ୍ କାର୍ଡ:
ତଦନ୍ତକାରୀ ଦଳର ସୂଚନା ଅନୁଯାୟୀ ଅଭିଯୁକ୍ତ ସାହିଲ ଓ ସମୀରା ୨୦୨୪ରୁ ୨୦୨୫ ମଧ୍ୟରେ ମୋଟ ୮ଟି ଭାରତୀୟ ସିମ୍ କାର୍ଡ ଯୋଗାଇଦେବା ବାବଦରେ ପାଖାପାଖି ୩୦,୦୦୦ ଟଙ୍କା ଗ୍ରହଣ କରିଥିଲେ। ଏହି ସିମ୍ କାର୍ଡଗୁଡ଼ିକୁ ପ୍ରଥମେ ଦୁବାଇ ପଠାଯାଉଥିଲା ଏବଂ ସେଠାରୁ ପାକିସ୍ତାନ ନିଆଯାଉଥିଲା। ପାକିସ୍ତାନରେ ଏହି ସିମ୍ଗୁଡ଼ିକୁ ସକ୍ରିୟ କରାଯାଇ ଭାରତୀୟ ହାଟସଆପ୍ ଗ୍ରୁପ୍ଗୁଡ଼ିକରେ ଅନୁପ୍ରବେଶ କରିବା ଏବଂ ସଂବେଦନଶୀଳ ତଥ୍ୟ ସଂଗ୍ରହ କରିବା ପାଇଁ ବ୍ୟବହାର କରାଯାଉଥିଲା।
ପୋଲିସ ଦାବି କରିଛି ଯେ ସାହିଲ ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ଜଣେ ପାକିସ୍ତାନୀ ଏଜେଣ୍ଟ ସହ ଯୋଗାଯୋଗରେ ଆସିଥିଲା। ପରବର୍ତ୍ତୀ ସମୟରେ ତାକୁ ଜଣେ ପାକିସ୍ତାନୀ ଗୁପ୍ତଚର ଅଧିକାରୀଙ୍କ ସହ ପରିଚୟ କରାଇ ଦିଆଯାଇଥିଲା। ଭାରତର ବିଭିନ୍ନ ସେନା କ୍ୟାଣ୍ଟନମେଣ୍ଟ ଅଞ୍ଚଳଗୁଡ଼ିକର ରେକି କରିବା ପାଇଁ ସ୍ଥାନୀୟ ଲୋକଙ୍କୁ ଖୋଜିବା ଦାୟିତ୍ୱ ସାହିଲକୁ ଦିଆଯାଇଥିଲା।
ସ୍ପେଶାଲ ସେଲ୍ ଏହି ଦମ୍ପତିଙ୍କ ନିକଟରୁ ମୋବାଇଲ୍ ଫୋନ୍ ଜବତ କରିଛି। ଫୋରେନ୍ସିକ୍ ଯାଞ୍ଚରୁ ବିଦେଶୀ ହ୍ୟାଣ୍ଡଲରଙ୍କ ସହ ହୋଇଥିବା ଅନେକ ସନ୍ଦେହଜନକ ଚାଟ୍ ପଦାକୁ ଆସିଛି। ଏହି ନେଟୱାର୍କର ଚେର କେତେ ଦୂର ଲମ୍ବିଛି ଏବଂ ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ତାହା ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି। ଏହି ଘଟଣା ଡିଜିଟାଲ ପ୍ଲାଟଫର୍ମର ଅପବ୍ୟବହାର ଏବଂ ଏକ ସାଧାରଣ ସିମ୍ କାର୍ଡ କିପରି ସୀମାପାର ଗୁପ୍ତଚର ବ୍ୟବସାୟର ହାତିଆର ପାଲଟିପାରେ, ତାହା ସ୍ପଷ୍ଟ କରିଛି।




