ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଏକ ନକଲି ଭିଡିଓ ପ୍ରସାରଣ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଅଧୀନସ୍ଥ ଆଇଏଫଏସଓ ୟୁନିଟ୍ ଏକ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। କୃତ୍ରିମ ବୁଦ୍ଧିମତ୍ତା ଏବଂ ଡିପଫେକ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ଏହି ଭିଡିଓରେ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଭ୍ରାନ୍ତିକର ବୟାନ ରଖାଯାଇ ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରଚାର କରାଯାଉଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଭାଇରାଲ ହୋଇଥିବା ଏହି ଭିଡିଓରେ ନୀତିନ ନବୀନ ବିବାଦୀୟ ମନ୍ତବ୍ୟ ଦେଉଥିବା ଭଳି ଦର୍ଶାଯାଇଛି। ଏଥିରେ ଭାରତ-ଚୀନ ସମ୍ପର୍କ, ପାକିସ୍ତାନ, ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀ ଏବଂ ଭାରତର ସ୍ୱଦେଶୀ ଲଢ଼ୁଆ ବିମାନ ‘ତେଜସ୍’ ସମ୍ପର୍କରେ ମନଗଢ଼ା ଓ ବିଭ୍ରାନ୍ତିକର ଟିପ୍ପଣୀ ଯୋଡ଼ାଯାଇଥିବା ବିଜେପି ଦାବି କରିଛି। ଗତ ରବିବାର ଚଣ୍ଡିଗଡ଼ରେ ନବୀନ ଦେଇଥିବା ଭାଷଣର ମୂଳ ଭିଡିଓକୁ ଏଆଇ (AI) ଓ ଡିପଫେକ୍ ଜରିଆରେ ବିକୃତ କରାଯାଇ ଏହି ନକଲି ଭିଡିଓ ପ୍ରସ୍ତୁତ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି।
ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦିଲ୍ଲୀ ବିଜେପି ସଭାପତି ହର୍ଷ ମାଲହୋତ୍ରାଙ୍କ ନେତୃତ୍ୱରେ ଏକ ୬ ଜଣିଆ ପ୍ରତିନିଧି ଦଳ ସୋମବାର କେନ୍ଦ୍ରୀୟ ଜିଲ୍ଲାର ଡିସିପି (DCP)ଙ୍କୁ ଭେଟି ଲିଖିତ ଅଭିଯୋଗ ପତ୍ର ଦେଇଥିଲା। ଅଭିଯୋଗ ଆଧାରରେ ମାମଲାଟି ଦିଲ୍ଲୀ ପୋଲିସ ସାଇବର ସେଲ୍ (IFSO)କୁ ହସ୍ତାନ୍ତର କରାଯାଇଥିଲା ଏବଂ ପୋଲିସ ଏଫଆଇଆର ରୁଜୁ କରି ତଦନ୍ତ ଚଳାଇଛି। ବିବାଦୀୟ ଭିଡିଓର ଫରେନସିକ୍ ଯାଞ୍ଚ, ସୋସିଆଲ ମିଡିଆ ଆକାଉଣ୍ଟ ଚିହ୍ନଟ, ଆଇପି ଲଗ୍ ଓ ଡିଜିଟାଲ୍ ରେକର୍ଡ ସଂରକ୍ଷଣ ଏବଂ ପ୍ଲାଟଫର୍ମରୁ ନକଲି ବିଷୟବସ୍ତୁ ହଟାଇବା ପାଇଁ ଆଇନଗତ ନିର୍ଦ୍ଦେଶ ଜାରି କରିବାକୁ ପ୍ରତିନିଧି ଦଳ ଦାବି କରିଛି।
ଗଣମାଧ୍ୟମକୁ ସମ୍ବୋଧିତ କରି ହର୍ଷ ମାଲହୋତ୍ରା କହିଛନ୍ତି ଯେ, ଏକ ଟେଲିଭିଜନ୍ ନ୍ୟୁଜ୍ ଏଜେନ୍ସିର ମୂଳ କଭରେଜ୍ ଭଳି ଦେଖାଯାଉଥିବା ରେକର୍ଡିଂକୁ ଅପବ୍ୟବହାର କରାଯାଇଛି। ଗଣତନ୍ତ୍ରରେ ରାଜନୈତିକ ବିରୋଧ ଓ ମତଭେଦ ସ୍ୱାଭାବିକ, କିନ୍ତୁ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର କରି ଜଣେ ନେତାଙ୍କ ନାମରେ ମିଥ୍ୟା ଭାଷଣ ଗଢ଼ିବା ଏବଂ ତାହାକୁ ପ୍ରକୃତ ବୋଲି ପ୍ରଚାର କରିବା ମତପ୍ରକାଶର ସ୍ୱାଧୀନତା ନାମରେ ଗ୍ରହଣୀୟ ନୁହେଁ। ଏଭଳି କାର୍ଯ୍ୟ କେବଳ ସମ୍ପୃକ୍ତ ନେତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁନାହିଁ, ବରଂ ଦେଶର ବୈଦେଶିକ ନୀତି, ରଣନୀତିକ ସ୍ୱାର୍ଥ ଓ ଜାତୀୟ ନିରାପତ୍ତା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ, ଅବିଶ୍ୱାସ ଓ ଅନାବଶ୍ୟକ ବିବାଦ ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ସେ ଚେତାବନୀ ଦେଇଛନ୍ତି।




