ନୂଆଦିଲ୍ଲୀ: ଦଶହରା ଅବସରରେ ଦିଲ୍ଲୀରେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ପୁତ୍ତଳିକା ସହ ଜଳିବ ୩୦ ଫୁଟ୍‌ ଉଚ୍ଚର ଏକ ବିଶାଳ ଅସରପା ପୁତ୍ତଳିକା। ପିତାମପୁରାରେ ରାମଲୀଳା ଆୟୋଜନ କରୁଥିବା ଶ୍ରୀ କେଶବ ରାମଲୀଳା କମିଟି ଏହି ନିଷ୍ପତ୍ତି ନେଇଛି। କମିଟିର କହିବା ଅନୁଯାୟୀ, ଅସରପା ଅପରିଷ୍କାର ଓ ମଇଳାର ପ୍ରତୀକ। ଏହି ପଦକ୍ଷେପ ଜରିଆରେ ସ୍ୱଚ୍ଛ ଭାରତ ଓ ସ୍ୱଚ୍ଛ ଦିଲ୍ଲୀ ଅଭିଯାନର ବାର୍ତ୍ତା ଦିଆଯିବ।

ରାଜନୈତିକ ଉଦ୍ଦେଶ୍ୟ ନଥିବା କହିଲେ ଆୟୋଜକ

କମିଟିର ଅଧ୍ୟକ୍ଷ ତଥା ବିଜେପି ବିଧାୟକ ଅଶୋକ ଗୋୟଲ କହିଛନ୍ତି, ଏହି ନିଷ୍ପତ୍ତି ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ମନ୍ଦ ଉପରେ ଭଲର ବିଜୟ ସହ ସ୍ୱଚ୍ଛତାର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏହାର ଲକ୍ଷ୍ୟ। ରାମଲୀଳାରେ ରାବଣଙ୍କ ସେନାର ରାକ୍ଷସମାନଙ୍କ ମଧ୍ୟରେ ମଧ୍ୟ ଅସରପାକୁ ସାମିଲ କରାଯିବ ବୋଲି ସେ କହିଛନ୍ତି।

କକ୍ରୋଚ୍‌ ଜନତା ପାର୍ଟିର ଆନ୍ଦୋଳନ ମଧ୍ୟରେ ନିଷ୍ପତ୍ତି

ଏହି ଘୋଷଣା ଏପରି ସମୟରେ ଆସିଛି, ଯେତେବେଳେ ଦିଲ୍ଲୀରେ କକ୍ରୋଚ୍‌ ଜନତା ପାର୍ଟି (CJP) ବିଭିନ୍ନ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଚଳାଇଛି। ପୂର୍ବରୁ ଦଳ ପୂର୍ବତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ପ୍ରତିବାଦ କରିଥିବା ବେଳେ ଏବେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହେଉଥିବା ଆନ୍ଦୋଳନରେ ସାମିଲ ହୋଇଛି।

ଏହି ପରିପ୍ରେକ୍ଷୀରେ ରାମଲୀଳାରେ ଅସରପା ପୁତ୍ତଳିକା ଦାହକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଆୟୋଜକ କମିଟି ଏହାକୁ ସ୍ୱଚ୍ଛତା ସହ ଜଡ଼ିତ ପଦକ୍ଷେପ ବୋଲି ସ୍ପଷ୍ଟ କରିଛି।