ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ମହିଳା ଓ ଶିଶୁମାନଙ୍କ ପ୍ରତି ଅପରାଧ ଥମିବାର ନାଁ ନେଉନାହିଁ। ଦିଲ୍ଲୀର ପ୍ରସିଦ୍ଧ ସଦର ବଜାର ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୋକାନ ଭିତରେ ହାତପାଦ ବାନ୍ଧି ଯୌନ ନିର୍ଯାତନା ଦିଆଯାଇଥିବା ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ପୋଲିସ ଏହି ମାମଲାରେ ୫୬ ବର୍ଷୀୟ ଅଭିଯୁକ୍ତ ଦୋକାନୀକୁ ଗିରଫ କରି ଜେଲ୍‌କୁ ପଠାଇଛି।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୬ ତାରିଖ ରାତି ପ୍ରାୟ ୧୧ଟା ସମୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣକ ଖାତା-ପେନ୍ ଆଦି ଷ୍ଟେସନାରୀ ସାମଗ୍ରୀ କିଣିବା ପାଇଁ ଘରୁ ବାହାରକୁ ଆସିଥିଲେ। ଏହି ସମୟରେ ନିକଟସ୍ଥ ଜଣେ ୫୬ ବର୍ଷୀୟ ଦୋକାନୀ ମକସୁଦ୍ ଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ ନିଜ ଦୋକାନ ଭିତରକୁ ନେଇଯାଇଥିଲା।

ଦୋକାନ ଭିତରେ ନାବାଳିକାଙ୍କ ହାତ ଓ ଗୋଡ଼ ବାନ୍ଧି ସେ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ରାତିରେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଏସମ୍ପର୍କରେ ଫୋନ୍ କଲ୍ ଆସିବା ପରେ ସଦର ବଜାର ଥାନା ପୋଲିସ ଓ ମହିଳା ପୋଲିସ ଷ୍ଟେସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ବଳାତ୍କାର, ପୋକ୍ସୋ ଆକ୍ଟ ଏବଂ ବେଆଇନ ଭାବେ ଅଟକ ରଖିବା ଦଫାରେ ମାମଲା ରୁଜୁ କରାଯାଇ ଅଭିଯୋଗକାରୀ ମକସୁଦ୍‌କୁ ଗିରଫ କରାଯାଇ ନ୍ୟାୟିକ ହାଜତକୁ ପଠାଯାଇଛି।

ଏହି ଘଟଣାର କିଛି ଦିନ ପୂର୍ବରୁ ଉତ୍ତର ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ମଧ୍ୟ ଜଣେ ନାବାଳିକାଙ୍କୁ ସଂଘବଦ୍ଧ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଗତ ସେପ୍ଟେମ୍ବର ୧୩ ରେ କୁଶକ ରୋଡ୍ ନିକଟସ୍ଥ ଏକ ଖୋଲା ପଡ଼ିଆରୁ ଗଳିତ ମୃତଦେହ ମିଳିଥିଲା, ଯାହାକୁ କୁକୁରମାନେ ଖାଇଯାଇଥିଲେ।

ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ, ପରିଚିତ ଯୁବକମାନେ ଟେମ୍ପୋରେ ବୁଲାଇବା ବାହାନାରେ ନାବାଳିକାଙ୍କୁ ନେଇ ମଦ୍ୟପାନ କରିବା ପରେ ଗଣବଳାତ୍କାର କରି ଛୁରୀ ଭୁସି ହତ୍ୟା କରିଥିଲେ। ଏହି ଘଟଣାରେ ୩ ଜଣ ନାବାଳକଙ୍କ ସହ ମୋଟ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ରାଜଧାନୀରେ ଏପରି କ୍ରମାଗତ ଅପରାଧ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।