ନୂଆଦିଲ୍ଲୀ: ଦିଲ୍ଲୀର ଭୋଟର ତାଲିକାରୁ ପ୍ରାୟ ୪୭ ଲକ୍ଷ ନାଁ ବାଦ ପଡ଼ିବାକୁ ନେଇ ଦାଏର ଆବେଦନର ଶୁଣାଣି ସେପ୍ଟେମ୍ବର ୨୧ରେ କରିବେ ସୁପ୍ରିମକୋର୍ଟ। Special Intensive Revision (SIR) ପ୍ରକ୍ରିୟାରେ ନାଁ ବାଦ ପଡ଼ିଥିବା ଭୋଟରଙ୍କୁ ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ନୋଟିସ ଓ ଏହାର ଆଧାର ସାର୍ବଜନୀନ କରାଯାଇନଥିବା ନେଇ ଆବେଦନରେ ପ୍ରଶ୍ନ ଉଠାଯାଇଛି।
ସେପ୍ଟେମ୍ବର ୧୭ରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ ମାମଲାଟିକୁ ଆସନ୍ତା ସୋମବାର ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି।
୪୭ ଲକ୍ଷ ନାଁ ବାଦ, ୩୩ ଲକ୍ଷଙ୍କୁ ନୋଟିସ
ଅଗଷ୍ଟ ୩୧ରେ ପ୍ରକାଶିତ ଦିଲ୍ଲୀର ଡ୍ରାଫ୍ଟ ଭୋଟର ତାଲିକାରେ ପ୍ରାୟ ୧.୪୫ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୪୭.୫ ଲକ୍ଷ ନାଁ ସାମିଲ ହୋଇନଥିଲା। ନିର୍ବାଚନ କମିସନଙ୍କ ଅନୁସାରେ, ଏମାନଙ୍କ ମଧ୍ୟରେ ୪୩.୩୨ ଲକ୍ଷରୁ ଅଧିକ ଭୋଟର ସ୍ଥାନାନ୍ତର ହୋଇଥିବା କିମ୍ବା ଯାଞ୍ଚ ସମୟରେ ନିଜ ଠିକଣାରେ ମିଳିନଥିବା ଜଣାପଡ଼ିଥିଲା। ପ୍ରାୟ ୨.୮୨ ଲକ୍ଷ ଭୋଟରଙ୍କୁ ମୃତ ଏବଂ ୧.୪୧ ଲକ୍ଷଙ୍କ ନାଁ ଏକାଧିକ ସ୍ଥାନରେ ଥିବା ଦର୍ଶାଯାଇଛି।
ଅନ୍ୟପକ୍ଷରେ, ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟରେ କହିଛନ୍ତି ଯେ ପ୍ରାୟ ୩୩ ଲକ୍ଷ ଭୋଟରଙ୍କୁ ନୋଟିସ ଜାରି କରାଯାଇଛି। କିନ୍ତୁ କାହାକୁ ନୋଟିସ ଦିଆଯାଇଛି ଏବଂ କେଉଁ ନିର୍ଦ୍ଦିଷ୍ଟ କାରଣରୁ ଦିଆଯାଇଛି, ସେ ସମ୍ପର୍କିତ ତଥ୍ୟ ପ୍ରକାଶ କରାଯାଇନଥିବା ଅଭିଯୋଗ ହୋଇଛି।
‘Logical Discrepancy’ ମାନଦଣ୍ଡ ନେଇ ପ୍ରଶ୍ନ
ଆବେଦନରେ ‘Logical Discrepancies’ ଶ୍ରେଣୀରେ ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ମାନଦଣ୍ଡ, ପରିଭାଷା, ଆଲଗୋରିଦମ୍ ଓ କାର୍ଯ୍ୟପ୍ରଣାଳୀ ସାର୍ବଜନୀନ କରିବାକୁ ଦାବି ହୋଇଛି।
ଆବେଦନକାରୀଙ୍କ ଦାବି ଅନୁସାରେ, ନୋଟିସରେ କେବଳ ସାଧାରଣ କାରଣ ଦର୍ଶାଯାଉଛି; ସମ୍ପୃକ୍ତ ଭୋଟରଙ୍କ ମାମଲାରେ କେଉଁ ତଥ୍ୟ କିମ୍ବା ରେକର୍ଡ ଆଧାରରେ ଅସଙ୍ଗତି ଚିହ୍ନଟ ହୋଇଛି, ତାହା ସ୍ପଷ୍ଟ କରାଯାଉନାହିଁ।
ସେହିପରି, ନୋଟିସ ପାଇଥିବା ସମସ୍ତ ଭୋଟରଙ୍କ ନାଁ, ଠିକଣା ଓ ନୋଟିସ ଜାରିର ନିର୍ଦ୍ଦିଷ୍ଟ କାରଣ ସହ ଏକ ସନ୍ଧାନଯୋଗ୍ୟ ତାଲିକା ପ୍ରକାଶ କରିବାକୁ ମଧ୍ୟ ଆବେଦନରେ ଦାବି କରାଯାଇଛି।




