ନୂଆଦିଲ୍ଲୀ: ଦୁବାଇ-ତେଲ୍ ଆଭିଭ୍ ଫ୍ଲାଇଦୁବାଇ ବିମାନ ଆକ୍ରମଣ ସମୟରେ କ୍ୟାପଟେନ୍ ସ୍ମିତ୍ ମାଚ୍ଛାରଙ୍କ ସାହସିକତା ଓ ହନୁମାନ ଭକ୍ତିକୁ ନେଇ ଶ୍ରଦ୍ଧାଞ୍ଜଳି ଓ ପ୍ରଶଂସା ସାଉଁଟିଛନ୍ତି ବାଗେଶ୍ୱର ଧାମର ପୀଠାଧୀଶ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ। ରବିବାର ଏକ ଆଧ୍ୟାତ୍ମିକ ସଭାରେ ସେ କହିଛନ୍ତି ଯେ, ଭଗବାନ୍ ହନୁମାନଙ୍କ ଉପରେ ଦୃଢ଼ ବିଶ୍ୱାସ ଏବଂ ହନୁମାନ ଚାଲିଶା ଜପ କରିବା ଦ୍ୱାରା କ୍ୟାପଟେନ୍ ମାଚ୍ଛାରଙ୍କୁ ବିପଦ ସମୟରେ ଆକ୍ରମଣକାରୀ ସହ ଲଢ଼ିବାକୁ ଅପୂର୍ବ ସାହସ ଓ ଆତ୍ମବିଶ୍ୱାସ ମିଳିଥିଲା।
ସେ କହିଛନ୍ତି, “ହନୁମାନଜୀଙ୍କ ଭକ୍ତ ହୋଇ ହନୁମାନ ଚାଲିଶା ପାଠ କରିବା ପାଇଁ ମୁଁ ଆଜି ଅତ୍ୟନ୍ତ ଗର୍ବିତ। ସଙ୍କଟ ସମୟରେ ହନୁମାନ ଚାଲିଶା ହିଁ ମଣିଷକୁ ସବୁଠାରୁ ବଡ଼ ଶକ୍ତି ଦେଇଥାଏ।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ସମୟରେ କ୍ୟାପଟେନ୍ ମାଚ୍ଛାର ନିଜର ସେହି ରୋମାଞ୍ଚକର ଅନୁଭୂତି ଶେୟାର କରିଥିଲେ। ବିମାନରେ ୧୦୦ରୁ ଅଧିକ ଯାତ୍ରୀ ଥିବା ବେଳେ ସହ-ପାଇଲଟ୍ ଜଣକ ହଠାତ୍ ଆକ୍ରମଣ କରି ବିମାନକୁ ନିୟନ୍ତ୍ରଣ ବାହାରକୁ ନେବାକୁ ଚେଷ୍ଟା କରିଥିଲେ।
ଗୁରୁତର ଆଘାତ ପାଇବା ସତ୍ତ୍ୱେ କ୍ୟାପଟେନ୍ ମାଚ୍ଛାର ପ୍ରାଣପଣେ ଲଢ଼ିଥିଲେ। ସେ କହିଥିଲେ ଯେ ବିମାନ ତଳକୁ ଖସିବା ଆରମ୍ଭ କରିବା ମାତ୍ରେ ସେ ହନୁମାନ ଚାଲିଶା ଜପ କରିବା ଆରମ୍ଭ କରିଦେଇଥିଲେ। ବିମାନର କୋକପିଟ୍ କବାଟ ଖୋଲିବା ଏବଂ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସେ ନିଜକୁ ପ୍ରସ୍ତୁତ କରିଥିଲେ। ସେ ଭାବିଥିଲେ ଯେ ଯଦି ସେ ବେହୋସ୍ ହୋଇଯିବେ, ତେବେ ବିମାନର କେହି ଜଣ ବି ଯାତ୍ରୀ ବଞ୍ଚିବେ ନାହିଁ।
ଶୁକ୍ରବାର ଭିଡିଓ କଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ସମୟରେ ଗୁରୁତର ଆହାତ ପାଇଲଟ୍ କାନ୍ଦି ପକାଇଥିଲେ। ସେ ସଙ୍କଟଜନକ ପରିସ୍ଥିତିରେ କିପରି ସାହସ ପାଇଲେ ବୋଲି ପ୍ରଧାନମନ୍ତ୍ରୀ ପଚାରିବାରୁ ସେ ନିଜର ଦୈନନ୍ଦିନ ଅଭ୍ୟାସ ବିଷୟରେ କହିଥିଲେ।
କ୍ୟାପଟେନ୍ ମାଚ୍ଛାର ପ୍ରକାଶ କରିଥିଲେ ଯେ ସେ ପ୍ରତିଦିନ ନିଜର ଦୁଇ ବର୍ଷର ପୁଅକୁ କୋଳରେ ବସାଇ ହନୁମାନ ଚାଲିଶା ଶୁଣାନ୍ତି ଏବଂ ଯେକୌଣସି ଜଟିଳ ପରିସ୍ଥିତିରେ ଏହା ହିଁ ତାଙ୍କୁ ମାନସିକ ସ୍ଥିରତା ଓ ନିର୍ଭୟତା ପ୍ରଦାନ କରିଥାଏ।




