ନୂଆଦିଲ୍ଲୀ: ବିଦେଶରୁ ଆମଦାନି ହେଉଥିବା ଖାଇବା ତେଲର ଦର ବଢ଼ୁଥିବାରୁ ଭାରତରେ ମଧ୍ୟ ଏହାର ଖୁଚୁରା ମୂଲ୍ୟ ଉପରକୁ ଯାଉଛି। ବିଶେଷଜ୍ଞଙ୍କ ମତରେ, ଚଳିତ ବର୍ଷ ସାଧାରଣଠାରୁ କମ୍ ବର୍ଷା ହେବାର ଆଶଙ୍କା ଥିବାରୁ ତୈଳବୀଜ ଉତ୍ପାଦନ ପ୍ରଭାବିତ ହୋଇପାରେ। ଏହାର ପ୍ରଭାବରେ ଆଗାମୀ ଦିନରେ ଖାଇବା ତେଲ ଦର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଉପଭୋକ୍ତା ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ, ବିଭିନ୍ନ ପ୍ରକାର ଖାଇବା ତେଲର ଖୁଚୁରା ମୂଲ୍ୟରେ ୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ରେକର୍ଡ କରାଯାଇଛି। ବର୍ତ୍ତମାନ ସୋରିଷ ତେଲର ଦର ୧୦.୭୪ ପ୍ରତିଶତ ବଢ଼ି ଲିଟର ପିଛା ୧୯୩.୫୪ ଟଙ୍କାରେ ପହଞ୍ଚିଥିବାବେଳେ ସୋୟାବିନ୍ ତେଲ ୧୧.୫୩ ପ୍ରତିଶତ ବୃଦ୍ଧି ସହ ୧୬୩.୧୦ ଟଙ୍କା ଏବଂ ପାମ୍ ଅଏଲ୍ ୧୨.୮୭ ପ୍ରତିଶତ ବୃଦ୍ଧି ପାଇ ଲିଟର ପିଛା ୧୪୭.୩୭ ଟଙ୍କାରେ ପହଞ୍ଚିଛି।
ସୋଲଭେଣ୍ଟ୍ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି.ଭି. ମେହେଟ୍ଟାଙ୍କ କହିବା ଅନୁଯାୟୀ, ପରିବହନ ଓ ବୀମା ଖର୍ଚ୍ଚ ବଢ଼ିବା, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଏବଂ କେତେକ ରପ୍ତାନିକାରୀ ଦେଶରେ ତୈଳବୀଜକୁ ଇଥାନଲ ଉତ୍ପାଦନରେ ବ୍ୟବହାର କରାଯାଉଥିବାରୁ ଆମଦାନି ଖର୍ଚ୍ଚ ବଢ଼ୁଛି। ଫଳରେ ଭାରତରେ ପହଞ୍ଚିବା ବେଳକୁ ଖାଇବା ତେଲର ମୂଲ୍ୟ ଅଧିକ ହୋଇଯାଉଛି।
ମୁମ୍ବାଇ ବନ୍ଦରରେ ପହଞ୍ଚୁଥିବା ଆମଦାନିକୃତ ତେଲ ମଧ୍ୟରେ ପାମ୍ ଅଏଲ୍ର ଦର ୧୧ ପ୍ରତିଶତ ବଢ଼ି ଟନ୍ ପିଛା ୧,୧୭୦ ଡଲାର, ସୋୟାବିନ୍ ତେଲ ୬ ପ୍ରତିଶତ ବୃଦ୍ଧି ସହ ୧,୨୬୭ ଡଲାର ଏବଂ ସନ୍ଫ୍ଲାୱାର ତେଲ ୨୦ ପ୍ରତିଶତ ବୃଦ୍ଧି ପାଇ ଟନ୍ ପିଛା ୧,୪୫୫ ଡଲାରରେ ପହଞ୍ଚିଛି।
ଉଲ୍ଲେଖଯୋଗ୍ୟ, ଭାରତ ନିଜର ମୋଟ ଖାଇବା ତେଲ ଆବଶ୍ୟକତାର ପ୍ରାୟ ୫୮ ପ୍ରତିଶତ ବିଦେଶରୁ ଆମଦାନି କରୁଛି। ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ, ୟୁକ୍ରେନ, ରୁଷ ଓ ଆର୍ଜେଣ୍ଟିନା ଏହାର ପ୍ରମୁଖ ଯୋଗାଣକାରୀ ଦେଶ। ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶକୁ ୧୬.୦୧ ନିୟୁତ ଟନ୍ ଖାଇବା ତେଲ ଆମଦାନି କରାଯାଇଥିଲା। ସେଥିରୁ ପ୍ରାୟ ୪୭ ପ୍ରତିଶତ ପାମ୍ ଅଏଲ୍ ଥିବାବେଳେ ଅବଶିଷ୍ଟ ଅଂଶ ସୋୟାବିନ୍ ଓ ସନ୍ଫ୍ଲାୱାର ତେଲ ଥିଲା।




