କାଠମାଣ୍ଡୁ: ଶକ୍ତିଶାଳୀ ଏଲ୍‌ନିନୋ ପ୍ରଭାବରେ ଚଳିତ ଶୀତଋତୁରେ ହିନ୍ଦୁକୁଶ ହିମାଳୟ ଅଞ୍ଚଳରେ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇପାରେ। କେତେକ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଓ ତୁଷାରପାତ ହେବାର ଆଶଙ୍କା ଥିବାବେଳେ ନେପାଳ ସମେତ ପଶ୍ଚିମ ହିମାଳୟରେ ବନ୍ୟା, ଭୂସ୍ଖଳନ ଓ ତୁଷାରଧସ ଭଳି ବିପର୍ଯ୍ୟୟର ବିପଦ ବଢ଼ିପାରେ। ହିନ୍ଦୁକୁଶ ହିମାଳୟ ଶୀତକାଳୀନ ପାଣିପାଗ ପୂର୍ବାନୁମାନ-୨୦୨୬ ରିପୋର୍ଟରେ ଏନେଇ ସତର୍କ କରାଯାଇଛି।

ନେପାଳ, ଆଫଗାନିସ୍ତାନ ଓ ବାଂଲାଦେଶରେ ଅଧିକ ବର୍ଷା ଆଶଙ୍କା

କାଠମାଣ୍ଡୁସ୍ଥିତ ଅନ୍ତର୍ଜାତୀୟ ସମନ୍ୱିତ ପର୍ବତ ବିକାଶ କେନ୍ଦ୍ର (ICIMOD), ବେଜିଂ ନର୍ମାଲ୍‌ ବିଶ୍ୱବିଦ୍ୟାଳୟ ଏବଂ ଚୀନ୍‌ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଟମସ୍ଫିୟରିକ୍‌ ଫିଜିକ୍ସର ଗବେଷକମାନେ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ନେପାଳ, ଆଫଗାନିସ୍ତାନ ଓ ବାଂଲାଦେଶର କେତେକ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବୃଷ୍ଟିପାତ ହୋଇପାରେ। ପଶ୍ଚିମ ହିମାଳୟରେ ପ୍ରବଳ ବର୍ଷା ଏବଂ ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ଅଧିକ ତୁଷାରପାତ ଯୋଗୁଁ ସ୍ଥାନୀୟ ବନ୍ୟା, ଭୂସ୍ଖଳନ ଓ ତୁଷାରଧସ ଭଳି ବିପଦ ସୃଷ୍ଟି ହୋଇପାରେ।

ସବୁଠାରୁ ଶକ୍ତିଶାଳୀ ଏଲ୍‌ନିନୋ ହେବାର ୬୦% ସମ୍ଭାବନା

ଆମେରିକାର ଜାତୀୟ ମହାସାଗର ଓ ବାୟୁମଣ୍ଡଳ ପ୍ରଶାସନ (NOAA) ଅନୁସାରେ, ବର୍ତ୍ତମାନ ଶକ୍ତିଶାଳୀରୁ ଅତି ଶକ୍ତିଶାଳୀ ଏଲ୍‌ନିନୋ ସ୍ଥିତି ରହିଛି। ୧୯୫୦ରୁ ପାଣିପାଗ ରେକର୍ଡ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ଶକ୍ତିଶାଳୀ ଏଲ୍‌ନିନୋ ହେବାର ପ୍ରାୟ ୬୦ ପ୍ରତିଶତ ସମ୍ଭାବନା ଥିବା ଆକଳନ କରାଯାଇଛି।

ଏହାର ପ୍ରଭାବରେ ହିମାଳୟର ପାଦଦେଶରେ ଅଧିକ ବର୍ଷା ଏବଂ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ଅଧିକ ବରଫ ଜମିବାର ସମ୍ଭାବନା ରହିଛି ବୋଲି ICIMOD ବୈଜ୍ଞାନିକମାନେ କହିଛନ୍ତି।

ବରଫର ପରିମାଣ ଜଳସମ୍ପଦକୁ ପ୍ରଭାବିତ କରିବ

ରିପୋର୍ଟରେ ଆଫଗାନିସ୍ତାନ, ପାକିସ୍ତାନ, ଉତ୍ତର ଭାରତ ଓ ନେପାଳର କେତେକ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବରଫ ଜମିବାର ପୂର୍ବାନୁମାନ ରହିଛି। ଅନ୍ୟପକ୍ଷରେ ଭୁଟାନ ଓ ଚୀନ୍‌ର ପୂର୍ବ ଜିଜାଙ୍ଗ୍‌ ଅଞ୍ଚଳରେ ବରଫର ଗଭୀରତା କମ୍‌ ରହିପାରେ।

ହିମାଳୟରେ ଜମୁଥିବା ବରଫ ତରଳିବା ପରେ ନଦୀଗୁଡ଼ିକର ଜଳପ୍ରବାହକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ଏହା ଜଳସେଚନ, ଜଳବିଦ୍ୟୁତ୍‌ ଉତ୍ପାଦନ ଓ ପାହାଡ଼ିଆ ଅଞ୍ଚଳର ଝରଣାଗୁଡ଼ିକର ଜଳ ଉପଲବ୍ଧତା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେଣୁ କେତେକ ଅଞ୍ଚଳରେ ବରଫର ପରିମାଣ କମିଲେ ଆଗାମୀ ବର୍ଷରେ ଜଳସମ୍ପଦ ଉପରେ ପ୍ରଭାବ ପଡ଼ିପାରେ।

ଶୁଷ୍କ ଅଞ୍ଚଳରେ ଜଙ୍ଗଲ ନିଆଁ ବିପଦ

ହିନ୍ଦୁକୁଶ ହିମାଳୟର ସବୁ ଅଞ୍ଚଳରେ ଅଧିକ ବର୍ଷା ହେବ ନାହିଁ ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି। କେତେକ ସ୍ଥାନରେ ଦୀର୍ଘ ଶୁଷ୍କ ଅବଧି ଦେଖାଦେଇପାରେ। ଏହା ଫଳରେ ଜଙ୍ଗଲ ଓ ଘାସ ପଡ଼ିଆରେ ନିଆଁ ଲାଗିବାର ଆଶଙ୍କା ବଢ଼ିବ। ବିଶେଷକରି ଦକ୍ଷିଣ-ପୂର୍ବ ଜିଜାଙ୍ଗ୍‌ ଓ ମ୍ୟାମାରର କେତେକ ଅଞ୍ଚଳରେ ଜଙ୍ଗଲ ନିଆଁର ବିପଦ ଅଧିକ ରହିବା ସମ୍ଭାବନା ରହିଛି।

ICIMODର ଜଳବିଜ୍ଞାନୀ ମନୀଷ ଶ୍ରେଷ୍ଠଙ୍କ ମତରେ, ବିପର୍ଯ୍ୟୟ ପ୍ରସ୍ତୁତି କେବଳ ମୌସୁମୀ ଋତୁରେ ସୀମିତ ରହିବା ଉଚିତ ନୁହେଁ। ପାଣିପାଗ ଅଧିକ ଅନିୟମିତ ଓ ତୀବ୍ର ହେଉଥିବାରୁ ସ୍ଥାନୀୟ ପ୍ରଶାସନକୁ ଋତୁକାଳୀନ ପୂର୍ବାନୁମାନ ସହ ସ୍ୱଳ୍ପକାଳୀନ ପାଣିପାଗ ସୂଚନା ଆଧାରରେ ଆଗୁଆ ପଦକ୍ଷେପ ନେବାକୁ ପଡ଼ିବ।

ଏହି ରିପୋର୍ଟର ନିଷ୍କର୍ଷ ଓ ହିନ୍ଦୁକୁଶ ହିମାଳୟ ଅଞ୍ଚଳର ପରିବେଶଗତ ବିପଦ ଉପରେ ନଭେମ୍ବର ୨୫ରୁ ୨୭ ପର୍ଯ୍ୟନ୍ତ କାଠମାଣ୍ଡୁରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ଆଲୋଚନା କରାଯିବ।