ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ESIC)ର ହିତାଧିକାରୀଙ୍କ ପାଇଁ ଆଧାର ଆଧାରିତ ପରିଚୟ ଯାଞ୍ଚ ବାଧ୍ୟତାମୂଳକ ହୋଇଛି। ସାମାଜିକ ସୁରକ୍ଷା ଓ ଚିକିତ୍ସା ସମେତ ESIC ଯୋଜନାର ବିଭିନ୍ନ ସୁବିଧା ପାଇବାକୁ ହିତାଧିକାରୀଙ୍କୁ ନିଜର ESIC ରେକର୍ଡ ସହ ଆଧାର ଲିଙ୍କ୍ କରିବାକୁ ପଡ଼ିବ। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ମଙ୍ଗଳବାର ଏନେଇ ସୂଚନା ଦେଇଛି।
ସାମାଜିକ ସୁରକ୍ଷା ସଂହିତା, ୨୦୨୦ର ଧାରା ୧୪୨ ଅନୁଯାୟୀ ଏହି ବ୍ୟବସ୍ଥା ଲାଗୁ ହେବ। ମନ୍ତ୍ରଣାଳୟ ଅନୁସାରେ, ESIC ହିତାଧିକାରୀଙ୍କ ପଞ୍ଜୀକରଣ ଓ ଯୋଜନାର ସୁବିଧା ନେବା ସମୟରେ ଆଧାର ମାଧ୍ୟମରେ ପରିଚୟ ସ୍ଥାପନ କରିବା ଆବଶ୍ୟକ।
କେଉଁ ସୁବିଧା ପାଇଁ ଆବଶ୍ୟକ?
ESIC ଯୋଜନା ଅଧୀନରେ ବୀମାଭୁକ୍ତ କର୍ମଚାରୀ ଓ ତାଙ୍କ ପରିବାରକୁ ଚିକିତ୍ସା ଓ ବିଭିନ୍ନ ସାମାଜିକ ସୁରକ୍ଷା ସୁବିଧା ମିଳିଥାଏ। ଏଥିରେ ଚିକିତ୍ସା, ହସ୍ପିଟାଲ୍ରେ ଭର୍ତ୍ତି, ମାତୃତ୍ୱ ସୁବିଧା, ଅସୁସ୍ଥତା ସମୟରେ ଆର୍ଥିକ ସହାୟତା ଓ କାର୍ଯ୍ୟସ୍ଥଳରେ ଦୁର୍ଘଟଣାଜନିତ ଅକ୍ଷମତା ପାଇଁ ଭତ୍ତା ଆଦି ରହିଛି।
କାର୍ଯ୍ୟସ୍ଥଳରେ ଦୁର୍ଘଟଣା ଯୋଗୁଁ ବୀମାଭୁକ୍ତ କର୍ମଚାରୀଙ୍କ ମୃତ୍ୟୁ ହେଲେ ନିର୍ଭରଶୀଳ ପରିବାର ସଦସ୍ୟଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିଥାଏ।
କିପରି କରିବେ ଆଧାର ସିଡିଂ?
ହିତାଧିକାରୀମାନେ ESICର ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ନିଜ ଆଧାରକୁ ESIC ରେକର୍ଡ ସହ ଲିଙ୍କ୍ କରିପାରିବେ। ଏଥିପାଇଁ ESIC ୱେବସାଇଟ୍ରେ ‘Insured Persons and Beneficiaries’ ବିଭାଗକୁ ଯାଇ ଲଗ୍ଇନ୍ କରିବାକୁ ହେବ। ପରେ ‘Aadhaar Seeding for IP’ ବିକଳ୍ପ ଚୟନ କରି ଆଧାର ନମ୍ବର ଦେବାକୁ ପଡ଼ିବ।
ଆଧାର ସହ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଆସୁଥିବା OTP ମାଧ୍ୟମରେ ପରିଚୟ ଯାଞ୍ଚ ସମ୍ପନ୍ନ ହେବ। ଆବେଦନ ଦାଖଲ ପରେ ଏକ ରେଫରେନ୍ସ ନମ୍ବର ମିଳିବ ଏବଂ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଆଧାର ESIC ରେକର୍ଡ ସହ ଲିଙ୍କ୍ ହେବ।
କାହିଁକି ନିଆଗଲା ନିଷ୍ପତ୍ତି?
ଆଧାର ଆଧାରିତ ପରିଚୟ ଯାଞ୍ଚ ମାଧ୍ୟମରେ ହିତାଧିକାରୀଙ୍କ ପରିଚୟ ନିଶ୍ଚିତ କରିବା ଏବଂ ESIC ସେବା ପ୍ରଦାନକୁ ଅଧିକ ସରଳ ଓ ସୁବ୍ୟବସ୍ଥିତ କରିବା ସରକାରଙ୍କ ଲକ୍ଷ୍ୟ। ଏହାଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ଚିକିତ୍ସା ଓ ଆର୍ଥିକ ସୁବିଧା ନିରବଚ୍ଛିନ୍ନ ଭାବେ ପହଞ୍ଚାଇବାରେ ସହାୟତା ମିଳିବ।
ମେ’ ୨୦୨୬ରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟ କରିଥିଲା ଯେ ସାମାଜିକ ସୁରକ୍ଷା ସଂହିତାର ଧାରା ୧୪୨ ଅନୁଯାୟୀ ESIC ଏହି ବ୍ୟବସ୍ଥାକୁ ପ୍ରଶାସନିକ ନିର୍ଦ୍ଦେଶ ମାଧ୍ୟମରେ କାର୍ଯ୍ୟକାରୀ କରିପାରିବ।




