ପଞ୍ଜାବ: ପଞ୍ଜାବର ସରାଇ ବଞ୍ଜାରା ରେଳ ଷ୍ଟେସନ ନିକଟରେ ଶୁକ୍ରବାର ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଘଟିଛି। ଅମୃତସରରୁ ନ୍ୟୁ ଜଲପାଇଗୁଡ଼ି ଯାଉଥିବା ‘କର୍ମଭୂମି ଏକ୍ସପ୍ରେସ’ (ଟ୍ରେନ୍ ନମ୍ବର ୧୨୫୦୮) ରେ ହଠାତ୍ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁର ଶିଖା ଏତେ ଭୟାନକ ରୂପ ନେଇଥିଲା ଯେ ଟ୍ରେନର ୪ଟି ବଗି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ତେବେ ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କର୍ମଭୂମି ଏକ୍ସପ୍ରେସ ଅମୃତସରରୁ ଛାଡ଼ିବା ପରେ ରାଜପୁରାଠାରୁ ପ୍ରାୟ ୧୫ କିଲୋମିଟର ଦୂର ବସନ୍ତପୁରା ଓ ସରାଇ ବଞ୍ଜାରା ରେଳ ଷ୍ଟେସନ ମଝିରେ ଯାଉଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଇଞ୍ଜିନ୍ ପଟୁ ପଞ୍ଚମ ବଗିରେ ପ୍ରଥମେ ନିଆଁ ଦେଖାଦେଇଥିଲା। କିଛି ସମୟ ମଧ୍ୟରେ ନିଆଁ ନିକଟସ୍ଥ ଅନ୍ୟ ବଗିଗୁଡ଼ିକୁ ବ୍ୟାପି ଯାଇଥିଲା।
ଟ୍ରେନରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଚାଳକ ସାଙ୍ଗେ ସାଙ୍ଗେ ଟ୍ରେନକୁ ଅଟକାଇ ଦେଇଥିଲେ। ଯାତ୍ରୀମାନେ ଭୟଭୀତ ହୋଇ ତୁରନ୍ତ ଟ୍ରେନରୁ ଓହ୍ଲାଇ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ।
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ରେଳବାଇ ଅଧିକାରୀ, ସ୍ଥାନୀୟ ପୋଲିସ ଓ ନିଆଁଲିଭା ବାହିନୀ (ଫାୟାର ବ୍ରିଗେଡ) ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ ଗାଡ଼ି ସାହାଯ୍ୟରେ ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତୁରନ୍ତ ପ୍ରଦକ୍ଷେପ ଗ୍ରହଣ କରାଯାଇଥିବାରୁ ଏକ ବଡ଼ ଧରଣର ବିପଦକୁ ଏଡ଼ାଇ ଦିଆଯାଇପାରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପ୍ରାଥମିକ ତଦନ୍ତରୁ ଶର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ରେଳ ସୁରକ୍ଷା ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ଏହି ଦୁର୍ଘଟଣା ଯୋଗୁଁ ଉକ୍ତ ରେଳଖଣ୍ଡରେ କିଛି ସମୟ ପାଇଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କ୍ଷତିଗ୍ରସ୍ତ ବଗିଗୁଡ଼ିକୁ ଅଲଗା କରାଯିବା ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି।




