ଭୁବନେଶ୍ୱର: ବନ୍ୟଜନ୍ତୁ ଓ ଜଙ୍ଗଲ ସୁରକ୍ଷା ସହ ସୁସ୍ଥ ଜୀବନଶୈଳୀର ବାର୍ତ୍ତା ନେଇ ଭୁବନେଶ୍ୱରରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ‘ଚନ୍ଦକା ଗ୍ରୀନ୍ ମାରାଥନ୍’। ୭୨ତମ ବନ୍ୟଜନ୍ତୁ ସପ୍ତାହ ପାଳନର ଅଂଶ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫ କିମି, ୧୦ କିମି ଓ ୨୧ କିମି ବର୍ଗରେ ବହୁ ସଂଖ୍ୟାରେ ଧାବକ, ଛାତ୍ରଛାତ୍ରୀ, ଯୁବକ, ପ୍ରକୃତିପ୍ରେମୀ ଓ ସାଧାରଣ ନାଗରିକ ଭାଗ ନେଇଥିଲେ।

ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସଚିବ ଭାସ୍କର ଜ୍ୟୋତି ଶର୍ମା ମାରାଥନ୍‌ର ଶୁଭାରମ୍ଭ କରିଥିଲେ। ଏଥିରେ PCCF (ବନ୍ୟଜନ୍ତୁ) ତଥା ମୁଖ୍ୟ ବନ୍ୟଜନ୍ତୁ ସଂରକ୍ଷକ ପ୍ରେମ କୁମାର ଝା, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ମନୋଜ ଭି. ନାୟରଙ୍କ ସମେତ ବନ ବିଭାଗର ବରିଷ୍ଠ ଅଧିକାରୀ, ପ୍ରକୃତିପ୍ରେମୀ ଓ ଧାବକମାନେ ଯୋଗ ଦେଇଥିଲେ।

ଚନ୍ଦକା-ଭରତପୁର ଜଙ୍ଗଲ ଅଞ୍ଚଳ ଓ ଏକାମ୍ର କାନନ ନିକଟବର୍ତ୍ତୀ ପ୍ରାକୃତିକ ପରିବେଶ ଦେଇ ମାରାଥନ୍‌ର ରୁଟ୍ ରଖାଯାଇଥିଲା। ବିଶେଷକରି ୨୧ କିମି ଦୌଡ଼ ପାଇଁ ପ୍ରାୟ ୭ କିମିର ରୁଟ୍‌କୁ ତିନିଥର ପରିକ୍ରମା କରିବାର ବ୍ୟବସ୍ଥା ହୋଇଥିଲା। ଜଙ୍ଗଲ ରାସ୍ତା ଦେଇ ଦୌଡ଼ିବାର ସୁଯୋଗ ମିଳିଥିବାରୁ ଏହା ସାଧାରଣ ସହରୀ ମାରାଥନ୍‌ଠାରୁ ଭିନ୍ନ ଅନୁଭୂତି ଦେଇଥିଲା।

ଏଥର ବନ୍ୟଜନ୍ତୁ ସପ୍ତାହର ବାର୍ତ୍ତା ରହିଛି ‘Connecting Habitats, Thriving Wildlife’। ବନ ଓ ବନ୍ୟଜନ୍ତୁଙ୍କ ଆବାସସ୍ଥଳୀର ସୁରକ୍ଷା ସହ ମଣିଷର ସୁସ୍ଥ ଜୀବନ ଏବଂ ସ୍ଥାୟୀ ଭବିଷ୍ୟତ ଜଡ଼ିତ ଥିବା ବାର୍ତ୍ତା ମାରାଥନ୍‌ ମାଧ୍ୟମରେ ଦିଆଯାଇଥିଲା। ‘Run for Nature’ ଓ ‘Run for a Wilder Tomorrow’ ଭଳି ବାର୍ତ୍ତା ମାଧ୍ୟମରେ ପ୍ରକୃତି ସୁରକ୍ଷାରେ ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଜଙ୍ଗଲ ଅଞ୍ଚଳ ଦେଇ ଦୌଡ଼ିବା ସମୟରେ ଧାବକମାନଙ୍କୁ ନିର୍ଦ୍ଧାରିତ ରୁଟ୍‌ରେ ରହିବା, ଆବର୍ଜନା ନ ପକାଇବା, ଜଙ୍ଗଲ ଭିତରେ ନିରବତା ବଜାୟ ରଖିବା ଏବଂ ବନ୍ୟଜନ୍ତୁ ଓ ଉଦ୍ଭିଦକୁ କୌଣସି ପ୍ରକାରରେ ବିଚଳିତ ନ କରିବାକୁ ପରାମର୍ଶ ଦିଆଯାଇଥିଲା। ବନ କର୍ମଚାରୀ ଓ ରେସ୍ ମାର୍ଶାଲ୍‌ଙ୍କ ନିର୍ଦ୍ଦେଶ ପାଳନ ପାଇଁ ମଧ୍ୟ କୁହାଯାଇଥିଲା।

ବନ୍ୟଜନ୍ତୁ ସପ୍ତାହର ଉଦ୍ଦେଶ୍ୟ ହେଉଛି ବନ୍ୟଜନ୍ତୁ, ଜୈବ ବିବିଧତା ଓ ପ୍ରାକୃତିକ ପରିସଂସ୍ଥାର ସୁରକ୍ଷା ନେଇ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା। ଚନ୍ଦକା ଗ୍ରୀନ୍ ମାରାଥନ୍‌କୁ ଏହି ଜନସଚେତନତା ଅଭିଯାନ ସହ ଖେଳ ଓ ପ୍ରକୃତି ସୁରକ୍ଷାକୁ ଯୋଡ଼ିବାର ଏକ ପଦକ୍ଷେପ ଭାବେ ଆୟୋଜନ କରାଯାଇଥିଲା।