ନୂଆଦିଲ୍ଲୀ:ଭାରତର ସୁପ୍ରିମକୋର୍ଟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ ଆଜି ସକାଳ ୧୦:୩୦ ମିନିଟ୍‌ରେ ସୁପ୍ରିମକୋର୍ଟର ପ୍ରଶାସନିକ ଭବନ ପରିସରରେ ଥିବା ଅଡିଟୋରିୟମରେ ୫ ଜଣ ନୂଆ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। କେନ୍ଦ୍ର ସରକାର ଏହି ୫ ଜଣଙ୍କ ନାମକୁ ମଞ୍ଜୁରୀ ଦେବା ପରେ ଆଜି ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେଉଛି।

ଶପଥ ନେବାକୁ ଥିବା ୫ ନୂଆ ବିଚାରପତି:

୧. ଜଷ୍ଟିସ୍ ଶୀଲ ନାଗୁ: (ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି)

୨. ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର:(ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି)

୩. ଜଷ୍ଟିସ୍ ସଞ୍ଜୀବ ସଚଦେବା:(ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି)

୪. ଜଷ୍ଟିସ୍ ଅରୁଣ ପଲ୍ଲୀ:(ଜମ୍ମୁ-କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି)

୫. ଭି. ମୋହନା: (ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ)

ସୁପ୍ରିମକୋର୍ଟ କଲେଜିୟମ ଗତ ମେ’ ୨୨ ଏବଂ ୨୭ ତାରିଖରେ ଏହି ନାମଗୁଡ଼ିକୁ ସୁପାରିଶ କରିଥିଲେ। ଏହାପରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ୍ସ (X) ରେ ପୋଷ୍ଟ କରି ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ନିଯୁକ୍ତିକୁ ଅନୁମୋଦନ ମିଳିଥିବା ସୂଚନା ଦେଇଥିଲେ। ସୁପ୍ରିମକୋର୍ଟ (ସଂଶୋଧନ) ଅଧ୍ୟାଦେଶ, ୨୦୨୬ ଅନୁଯାୟୀ କୋର୍ଟରେ ବିଚାରପତିଙ୍କ ସଂଖ୍ୟା (ସିଜେଆଇଙ୍କୁ ବାଦ୍ ଦେଇ) ୩୩ ରୁ ୩୭ କୁ ବୃଦ୍ଧି ପାଇଛି। ଏହି ୫ ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ଦ୍ୱାରା ଦେଶର ସର୍ବୋଚ୍ଚ ନ୍ୟାୟାଳୟର ସାମର୍ଥ୍ୟ ଆହୁରି ମଜବୁତ ହେବ ଏବଂ ମାମଲା ଗୁଡ଼ିକର ଶୀଘ୍ର ଫଇସଲା ହୋଇପାରିବ।