ଲକ୍ଷ୍ନୌ: ଭାରତୀୟ ପ୍ରଶାସନିକ ସେବା (IAS) ଛାଡ଼ି ଏବେ ସକ୍ରିୟ ରାଜନୀତିରେ ପାଦ ଥାପିଛନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ଦିବ୍ୟା ମିତ୍ତଲ। ଗୁରୁବାର ସେ ନିଜର ନୂଆ ରାଜନୈତିକ ଦଳ ‘ଜନ ନୀତି ଭାରତ’ ଘୋଷଣା କରିବା ସହ ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି କହିଛନ୍ତି। ଜନସାଧାରଣଙ୍କୁ ନୀତି ନିର୍ଦ୍ଧାରଣର କେନ୍ଦ୍ରରେ ରଖିବା ଏବଂ ସରକାରଙ୍କୁ ଲୋକଙ୍କ ପ୍ରତି ଉତ୍ତରଦାୟୀ କରିବା ତାଙ୍କ ଦଳର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ଲୋକଙ୍କ ହାତରେ ରହିବ ନୀତି ନିର୍ଦ୍ଧାରଣ
ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜରିଆରେ ଦଳର ନାମ ଘୋଷଣା କରି ଦିବ୍ୟା କହିଛନ୍ତି, ରାଜନୀତିରେ ଲୋକଙ୍କ ସ୍ୱରକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। କେବଳ ନିର୍ବାଚନ ସମୟରେ ନୁହେଁ, ସରକାରଙ୍କ ପାଞ୍ଚବର୍ଷିଆ କାର୍ଯ୍ୟକାଳର ପ୍ରତ୍ୟେକ ପର୍ଯ୍ୟାୟରେ ଲୋକଙ୍କ ମତାମତ ଓ ଆବଶ୍ୟକତାକୁ ଗୁରୁତ୍ୱ ଦେବା ତାଙ୍କ ଦଳର ଉଦ୍ଦେଶ୍ୟ।
ତାଙ୍କ ମତରେ, ନୀତି ନିର୍ଦ୍ଧାରଣ ସମୟରେ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦିଆଯିବା ଉଚିତ। ଏହା ସହ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟର ହିସାବ ଜନସାଧାରଣଙ୍କୁ ଦେବାକୁ ପଡ଼ିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ଆଇଆଇଟି ଦିଲ୍ଲୀ ଓ ଆଇଆଇଏମ୍ ବେଙ୍ଗାଲୁରୁରେ ପଢ଼ିଛନ୍ତି
ଦିବ୍ୟା ମିତ୍ତଲ ଆଇଆଇଟି ଦିଲ୍ଲୀ ଓ ଆଇଆଇଏମ୍ ବେଙ୍ଗାଲୁରୁର ପୂର୍ବତନ ଛାତ୍ରୀ। ଆଇଏଏସ୍ ହେବା ପୂର୍ବରୁ ସେ ଲଣ୍ଡନରେ ଆର୍ଥିକ କ୍ଷେତ୍ରରେ କାମ କରୁଥିଲେ। ୨୦୧୩ ବ୍ୟାଚ୍ର ଏହି ଅଧିକାରୀ ଉତ୍ତରପ୍ରଦେଶର ବିଭିନ୍ନ ପ୍ରଶାସନିକ ପଦରେ କାର୍ଯ୍ୟ କରିଥିଲେ। ମିର୍ଜାପୁର ଜିଲ୍ଲାପାଳ ଭାବେ ତାଙ୍କ କାର୍ଯ୍ୟକାଳ ସମୟରେ ଦୁର୍ଗମ ଗାଁରେ ପାନୀୟ ଜଳ ପହଞ୍ଚାଇବା ଭଳି କାର୍ଯ୍ୟ ପାଇଁ ସେ ଚର୍ଚ୍ଚାକୁ ଆସିଥିଲେ।
ପ୍ରାୟ ୧୩ ବର୍ଷର ପ୍ରଶାସନିକ ସେବା ପରେ ସେ ୨୦୨୬ ଅଗଷ୍ଟ ୩୦ରେ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ସେପ୍ଟେମ୍ବର ୨୯ରେ ରାଜନୀତିରେ ପ୍ରବେଶ କରିବା ନେଇ ଘୋଷଣା କରିଥିଲେ। ଏବେ ନିଜସ୍ୱ ଦଳ ଗଠନ କରି ସେ ଉତ୍ତରପ୍ରଦେଶର ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି।




