ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ପୂର୍ବତନ ଅଧିକାରୀ, ସାମାଜିକ କର୍ମୀ ଓ ନାଗରିକ ସମାଜର ପ୍ରତିନିଧିଙ୍କ ଏକ ଦଳ ‘ପିପୁଲ୍ସ ନୋଟିସ୍‌ ଅଫ୍‌ ଇମ୍ପିଚମେଣ୍ଟ’ ଜାରି କରିଛି। ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀ ଓ ଭୋଟର ତାଲିକା ସଂଶୋଧନ ସମେତ ବିଭିନ୍ନ ପ୍ରସଙ୍ଗରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଏହି ଦଳ ଅଭିଯୋଗ ଉଠାଇଛି।

ପ୍ରତିନିଧି ଦଳରେ ପୂର୍ବତନ ଦିଲ୍ଲୀ ଉପରାଜ୍ୟପାଳ ନଜୀବ ଜଙ୍ଗ, ପୂର୍ବତନ କେନ୍ଦ୍ର ଗୃହ ସଚିବ ଜି.କେ. ପିଲ୍ଲାଇ, ପୂର୍ବତନ ଆଇବି ସ୍ପେଶାଲ ଡାଇରେକ୍ଟର ୟଶୋବର୍ଦ୍ଧନ ଆଜାଦ, ପୂର୍ବତନ ରାଜଦୂତ ଅଶୋକ ଶର୍ମା ଓ ସାମାଜିକ କର୍ମୀ ଯୋଗେନ୍ଦ୍ର ଯାଦବଙ୍କ ସମେତ ଅନ୍ୟମାନେ ରହିଛନ୍ତି।

୬ଟି ପ୍ରସଙ୍ଗରେ ଅଭିଯୋଗ

ପ୍ରତିନିଧି ଦଳ ଦାଖଲ କରିଥିବା ଚାର୍ଜସିଟ୍‌ରେ ମୁଖ୍ୟତଃ ୬ଟି ଅଭିଯୋଗ ରହିଛି। ପ୍ରଥମ ଅଭିଯୋଗରେ ନିର୍ବାଚନ ଆୟୋଗର ସାମୂହିକ ନିଷ୍ପତ୍ତି ପ୍ରକ୍ରିୟାକୁ ଦୁର୍ବଳ କରାଯାଇଥିବା ଦାବି କରାଯାଇଛି। ବିଶେଷ କରି ଭୋଟର ତାଲିକାର Special Intensive Revision (SIR) ନେଇ ପର୍ଯ୍ୟାପ୍ତ ଆଲୋଚନା ଓ ପରାମର୍ଶ ହୋଇନଥିବା ଅଭିଯୋଗ ଉଠାଯାଇଛି।

ଦ୍ୱିତୀୟ ଅଭିଯୋଗ ଭୋଟର ତାଲିକାରେ ନାମ ସାମିଲ କରିବା ପାଇଁ ବ୍ୟବହୃତ Form-6ରେ ପରିବର୍ତ୍ତନ ସମ୍ପର୍କିତ। ତୃତୀୟ ଅଭିଯୋଗ ନିର୍ବାଚନ ଆୟୋଗର ଡିଜିଟାଲ ପ୍ଲାଟଫର୍ମ ECINETର ବ୍ୟବହାରକୁ ନେଇ ରହିଛି। ପ୍ରତିନିଧି ଦଳର ଦାବି ଅନୁସାରେ, ଏହା ଭୋଟର ତାଲିକା ସମ୍ପର୍କିତ କେତେକ ଆଇନଗତ ଦାୟିତ୍ୱ ଉପରେ ପ୍ରଭାବ ପକାଇଛି।

ଚତୁର୍ଥ ଅଭିଯୋଗ SIR ଯୋଗୁଁ ବହୁ ସଂଖ୍ୟକ ଭୋଟର ମତଦାନ ଅଧିକାରରୁ ବଞ୍ଚିତ ହେବାର ଆଶଙ୍କାକୁ ନେଇ। ଏହା ସହ ନିର୍ବାଚନ ପ୍ରକ୍ରିୟାରେ ପକ୍ଷପାତିତା ଓ ସାମ୍ବିଧାନିକ ଦାୟିତ୍ୱ ପାଳନରେ ଅବହେଳା ସମ୍ପର୍କିତ ଅଭିଯୋଗ ମଧ୍ୟ ନୋଟିସ୍‌ରେ ରହିଛି।

ଦିଲ୍ଲୀରେ ବ୍ୟାରିକେଡ୍‌, ପ୍ରେସ୍‌ କ୍ଲବ୍‌ରେ ପ୍ରକାଶପ୍ରତିନିଧି ଦଳ ନିର୍ବାଚନ ଆୟୋଗର ନୂଆଦିଲ୍ଲୀସ୍ଥିତ ନିର୍ବାଚନ ସଦନକୁ ଯାଇ ନୋଟିସ୍‌ ଦେବାକୁ ଚାହୁଁଥିଲା। କିନ୍ତୁ ନିର୍ବାଚନ ସଦନକୁ ଯାଉଥିବା ରାସ୍ତାରେ ପୁଲିସ ବ୍ୟାରିକେଡ୍‌ ଲଗାଇଥିବାରୁ ସେମାନେ ଭିତରକୁ ଯାଇପାରିନଥିବା ରିପୋର୍ଟ ଆସିଛି। ପରେ ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆରେ ଏହି ଚାର୍ଜସିଟ୍‌ ଓ ନୋଟିସ୍‌ ସମ୍ପର୍କରେ ସୂଚନା ଦିଆଯାଇଥିଲା।

ପ୍ରତିନିଧି ଦଳ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨୪(୫)କୁ ଉଲ୍ଲେଖ କରି ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ଦାବି କରିଛି। ଏହି ଅଭିଯୋଗଗୁଡ଼ିକ ଉପରେ ସମ୍ପୃକ୍ତ ପକ୍ଷର ମତାମତ ଓ ଆଇନଗତ ପ୍ରକ୍ରିୟା ପରବର୍ତ୍ତୀ ସମୟରେ ଗୁରୁତ୍ୱପୂର୍ଣ୍ଣ ରହିବ।