କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବୀରଭୂମି ଜିଲ୍ଲା ରାମପୁରହାଟସ୍ଥିତ ତୃଣମୂଳ କଂଗ୍ରେସ (ଟିଏମସି) କାର୍ଯ୍ୟାଳୟରୁ ୭୪ ବର୍ଷୀୟ ଆଶିଷଙ୍କ ମୃତଦେହ ମିଳିଥିବା ପୋଲିସ ସୂଚନା ଦେଇଛି।

ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ଏଥିରେ ସେ ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରିନାହାନ୍ତି, ମାତ୍ର ରାଜନୀତିରେ ପ୍ରବେଶ କରିଥିବାରୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନିଜ ପରିବାର ସଦସ୍ୟଙ୍କୁ ଭବିଷ୍ୟତରେ କେବେ ବି ରାଜନୀତିରେ ଯୋଗ ନଦେବାକୁ ସେ ପରାମର୍ଶ ଦେଇଛନ୍ତି।

ଚିଠିରେ ଆଶିଷ ଲେଖିଛନ୍ତି, “ତାରାପୀଠ ରାମପୁରହାଟ ଉନ୍ନୟନ କର୍ତ୍ତୃପକ୍ଷରେ ମୋର କୌଣସି ନିଷ୍ପତ୍ତି ନେବାର ଅଧିକାର ନଥିଲା। ମୁଁ କେବଳ ବୈଠକରେ ଯୋଗ ଦେଉଥିଲି। ଟେଣ୍ଡର କମିଟି, ଦସ୍ତଖତ ଯାଞ୍ଚ୍, ଯୋଜନା ଅନୁମୋଦନ କିମ୍ବା NOC ପ୍ରଦାନରେ ମୋର କୌଣସି ଭୂମିକା ନଥିଲା। ମୋତେ ବେଆଇନ ଭାବେ ଏହି ମାମଲାରେ ଫସାଇବାକୁ ଚେଷ୍ଟା କରାଯାଇଛି। ରାଜନୀତିକୁ ଆସି ମୁଁ ବଡ଼ ଭୁଲ୍ କରିଛି।”

ଏହି ସମ୍ବେଦନଶୀଳ ଘଟଣା ଉପରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଗଭୀର ଶୋକପ୍ରକାଶ କରିବା ସହ ମିଡିଆ ଟ୍ରାଏଲ୍ ଏବଂ ବିରୋଧୀଙ୍କୁ କଠୋର ଭାବେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଆଶିଷ ବାନାର୍ଜୀ ଜୀବନସାରା ଜଣେ ଶିକ୍ଷକ ଓ ସଚ୍ଚୋଟ ଜନସେବକ ଭାବେ କାର୍ଯ୍ୟ କରିଥିଲେ।

ଅଭିଷେକ ଆହୁରି କହିଛନ୍ତି, “ତାଙ୍କର ଶେଷ ସୁଇସାଇଡ୍ ନୋଟ୍ ସ୍ପଷ୍ଟ କରୁଛି ଯେ ତାଙ୍କୁ ବଦନାମ କରିବା ପାଇଁ ଏକ ଯୋଜନାବଦ୍ଧ ଅଭିଯାନ ଚାଲିଥିଲା। ବିଜେପି ଏବଂ ଗଣମାଧ୍ୟମର ଏକ ଅଂଶ ଏଭଳି ରାଜନୀତି କରିବା ପୂର୍ବରୁ ସଚେତନ ହେବା ଉଚିତ୍, ଯେଉଁଠି ସତ୍ୟ ସାମ୍ନାକୁ ଆସିବା ପୂର୍ବରୁ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଦିଆଯାଏ। ରାଜନୈତିକ ଲଢ଼େଇ ଆସିବ ଓ ଯିବ, କିନ୍ତୁ ଅମୂଲ୍ୟ ଜୀବନ ଥରେ ଚାଲିଗଲେ ଆଉ ଫେରିବ ନାହିଁ।”

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।