ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀର ମାନକୁ ନେଇ ଏଭରେଷ୍ଟ ଫୁଡ୍‌ ପ୍ରଡକ୍ଟସ ଏବଂ ଲାଲଜୀ ଗୋଧୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ)। ଉଭୟ କମ୍ପାନିର ହେଙ୍ଗୁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁନଥିବା ପରୀକ୍ଷାରୁ ଜଣାପଡ଼ିବା ପରେ ଏହାର ବିକ୍ରି ଉପରେ ଅସ୍ଥାୟୀ ନିଷେଧାଦେଶ ଜାରି କରାଯାଇଛି।

ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଉଭୟ କମ୍ପାନିକୁ ଉଲ୍ଲଂଘନର କାରଣ ସ୍ପଷ୍ଟ କରିବା ସହ ନିର୍ଦ୍ଧାରିତ ମାନଦଣ୍ଡ କିପରି ପାଳନ କରାଯିବ, ସେନେଇ ବିସ୍ତୃତ କାର୍ଯ୍ୟଯୋଜନା ଦାଖଲ କରିବାକୁ କୁହାଯାଇଛି। ବଜାରରେ ଉପଲବ୍ଧ ନିମ୍ନମାନର ଉତ୍ପାଦକୁ ନିଜଆଡ଼ୁ ପ୍ରତ୍ୟାହାର କରିନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ନିୟମ ପାଳନ ନହେବା ପର୍ଯ୍ୟନ୍ତ ନିଷେଧାଦେଶ ବଳବତ୍ତର ରହିବ।

ଏହାବ୍ୟତୀତ ଏଭରେଷ୍ଟର ଅଣ୍ଡା ତରକାରୀ ମସଲା, ଚିକେନ୍‌ ମସଲା ଏବଂ ଗରମ ମସଲାରେ ମଧ୍ୟ ମାନଦଣ୍ଡ ପାଳନ ହୋଇନଥିବା ଏଫ୍‌ଏସ୍‌ଏଆଇ ଚିହ୍ନଟ କରିଛି। ତେବେ ଏହି ତିନୋଟି ମସଲା ଉପରେ ନିଷେଧାଦେଶ ଜାରି କରାଯାଇନାହିଁ।

ଜଣେ ଗ୍ରାହକଙ୍କ ଅଭିଯୋଗ ପରେ ଏଫ୍‌ଏସ୍‌ଏଆଇ ପ୍ରମୁଖ ହେଙ୍ଗୁ ବ୍ରାଣ୍ଡ୍‌ଗୁଡ଼ିକ ଉପରେ ଯାଞ୍ଚ ଆରମ୍ଭ କରିଥିଲା। ଏହି କ୍ରମରେ ଏଭରେଷ୍ଟର ମୁମ୍ବାଇ ଓ ଉମ୍ବରଗାଓଁସ୍ଥିତ ଉତ୍ପାଦନ ୟୁନିଟ୍‌ରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ନମୁନାଗୁଡ଼ିକ ନିର୍ଦ୍ଧାରିତ ମାନ ପୂରଣ କରିନଥିବା ଜଣାପଡ଼ିଥିଲା।

ନିୟମ ଅନୁସାରେ ହେଙ୍ଗୁରେ ଅତିକମ୍‌ରେ ୫ ପ୍ରତିଶତ ଆଲକୋହଲ୍‌-ଦ୍ରବଣୀୟ ଉପାଦାନ ରହିବା ଆବଶ୍ୟକ। କିନ୍ତୁ ଏଭରେଷ୍ଟର ନମୁନାରେ ଏହା ଶୂନରୁ ୩ ପ୍ରତିଶତ ମଧ୍ୟରେ ଥିବା ଜଣାପଡ଼ିଛି। ସେହିପରି ଲାଲଜୀ ଗୋଧୁର ହେଙ୍ଗୁରେ ୧୫ରୁ ୩୨ ପ୍ରତିଶତ ପର୍ଯ୍ୟନ୍ତ ଷ୍ଟାର୍ଚ୍ଚ ମିଳିଥିବାବେଳେ ନିର୍ଦ୍ଧାରିତ ମାନ ଅନୁସାରେ ଏଥିରେ ସର୍ବାଧିକ ୧ ପ୍ରତିଶତ ଷ୍ଟାର୍ଚ୍ଚ ରହିବା କଥା।