ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୩ ଟଙ୍କା ବୃଦ୍ଧି ହେବା ପରେ ଆଗାମୀ ଦିନରେ ଇନ୍ଧନ ଦର ଆହୁରି ବଢ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଅଶୋଧିତ ତେଲ ଦର ଲଗାତାର ବୃଦ୍ଧି ପାଉଥିବାରୁ ତେଲ କମ୍ପାନିମାନଙ୍କ ଉପରେ ଚାପ ବଢ଼ିଛି।
ବିଶେଷଜ୍ଞଙ୍କ ମତାନୁସାରେ, ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପ୍ରତି ପ୍ରାୟ ୧୨୫ ଡଲାର ପାଖାପାଖି ରହିଛି। ଏହି ପରିସ୍ଥିତିରେ କେବଳ ୩ ଟଙ୍କା ଦରବୃଦ୍ଧି ପର୍ଯ୍ୟାପ୍ତ ନୁହେଁ ବୋଲି ସେମାନେ କହିଛନ୍ତି। ତେଣୁ ଆଗାମୀ ସମୟରେ ପେଟ୍ରୋଲ ଓ ଡିଜେଲ ଦର ଅନେକ ପର୍ଯ୍ୟାୟରେ ବଢ଼ିବାର ସମ୍ଭାବନା ରହିଛି।
ଭାଲେଣ୍ଟିସ୍ ଆଡଭାଇଜର୍ସର ପ୍ରତିଷ୍ଠାତା ଜ୍ୟୋତିବର୍ଦ୍ଧନ ଜୟପୁରିଆ କହିଛନ୍ତି ଯେ, ପଶ୍ଚିମ ଏସିଆରେ ଯୁଦ୍ଧ ଜାରି ରହିଲେ ତେଲ ଦର ଆହୁରି ବଢ଼ିବ। ସେ କହିଛନ୍ତି, ଦରବୃଦ୍ଧିର ପ୍ରଭାବ କମ କରିବା ପାଇଁ ସରକାରଙ୍କୁ ନୀତି ଆଧାରିତ ପଦକ୍ଷେପ ନେବାକୁ ପଡ଼ିବ।
ସୂଚନାଯୋଗ୍ୟ ଯେ, ଇରାନ ସଂପର୍କିତ ସଂଘର୍ଷ ଆରମ୍ଭ ହେବାର ପ୍ରାୟ ୧୧ ସପ୍ତାହ ବିତିଯାଇଛି। ଯୁଦ୍ଧ ପୂର୍ବରୁ ଅଶୋଧିତ ତେଲ ଦର ବ୍ୟାରେଲ ପ୍ରତି ପ୍ରାୟ ୬୦ ଡଲାର ଥିବାବେଳେ ବର୍ତ୍ତମାନ ତାହା ଦୁଗୁଣ ହୋଇ ୧୨୫ ଡଲାର ନିକଟକୁ ପହଞ୍ଚିଛି। ତଥାପି ସରକାରୀ ତେଲ କମ୍ପାନି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ଦୀର୍ଘଦିନ ଧରି ଦରବୃଦ୍ଧିକୁ ଅଟକାଇ ରଖିଥିଲେ।
ଆଲଫାନିତି ଫିନ୍ଟେକ୍ର ସହ-ପ୍ରତିଷ୍ଠାତା ୟୁ ଆର୍ ଭଟ୍ଟ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ଦରବୃଦ୍ଧି ପର୍ଯ୍ୟାପ୍ତ ନୁହେଁ। ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ନିୟମିତ ଭାବେ ଇନ୍ଧନ ଦର ବଢ଼ିବାର ସମ୍ଭାବନା ରହିଛି ବୋଲି ସେ ଆକଳନ କରିଛନ୍ତି।




