ୱାସିଂଟନ: ଆମେରିକା, କାନାଡା ଓ ଅଷ୍ଟ୍ରେଲିଆ ସହ ବିଶ୍ୱର ପ୍ରାୟ ୯ ହଜାର ପ୍ରମୁଖ ଶିକ୍ଷାନୁଷ୍ଠାନ ଏକ ବଡ଼ ସାଇବର ଆକ୍ରମଣର ଶିକାର ହୋଇଛନ୍ତି। କାନଭାସ୍ ଲର୍ଣ୍ଣିଂ ପ୍ଲାଟଫର୍ମକୁ ଟାର୍ଗେଟ କରି ‘ସାଇନିହଣ୍ଟର୍ସ’ ନାମକ ହ୍ୟାକର ଗୋଷ୍ଠୀ ଏହି ଆକ୍ରମଣ କରିଥିବା ଦାବି କରିଛି। ଫାଇନାଲ ପରୀକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ଏକାଡେମିକ କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍ ହୋଇଥିବା ଏହି ଆକ୍ରମଣ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ଅସ୍ଥିରତା ସୃଷ୍ଟି କରିଛି।
ସାଇବର ଆକ୍ରମଣ ପରେ ଛାତ୍ରଛାତ୍ରୀଙ୍କ ତଥ୍ୟ ସୁରକ୍ଷା ଓ ପରୀକ୍ଷା ସମ୍ପର୍କିତ ଡାଟା ନେଇ ଗଭୀର ଚିନ୍ତା ସୃଷ୍ଟି ହୋଇଛି। ହ୍ୟାକରମାନେ ଅନେକ କମ୍ପ୍ୟୁଟର ସ୍କ୍ରିନରେ ବିଟକଏନ୍ରେ ମୁକ୍ତିପଣ ଦାବି କରି ସନ୍ଦେଶ ପଠାଇଥିଲେ। ସେଥିରେ ଚେତାବନୀ ଦିଆଯାଇଥିଲା ଯେ, ଦାବି ପୂରଣ ନ ହେଲେ ଚୋରି ହୋଇଥିବା ସମସ୍ତ ତଥ୍ୟ ସାର୍ବଜନୀନ କରାଯିବ।
ଏହି ପରିସ୍ଥିତି ଅନେକ ବିଶ୍ୱବିଦ୍ୟାଳୟକୁ ତୁରନ୍ତ ଫାଇନାଲ ପରୀକ୍ଷା ସ୍ଥଗିତ କିମ୍ବା ବାତିଲ କରିବାକୁ ବାଧ୍ୟ କରିଛି। ଆମେରିକାର ମିସିସିପି ଷ୍ଟେଟ୍ ୟୁନିଭର୍ସିଟି ଶୁକ୍ରବାର ହେବାକୁ ଥିବା ଚୂଡ଼ାନ୍ତ ପରୀକ୍ଷାକୁ ବାତିଲ କରିଦେଇଛି। ପାଣିପାଗ ବିଜ୍ଞାନର ଛାତ୍ରୀ ଅବ୍ରେ ପାଲମର କହିଛନ୍ତି ଯେ, ସେ ୨,୯୦୦ ଶବ୍ଦର ପରୀକ୍ଷା ପ୍ରବନ୍ଧ ସମାପ୍ତ କରିଥିବା ବେଳେ ହଠାତ୍ ତାଙ୍କ ସ୍କ୍ରିନରେ ବିଟକଏନ୍ ଦାବି ସହ ଧମକପୂର୍ଣ୍ଣ ବାର୍ତ୍ତା ଦେଖାଯାଇଥିଲା।
ଅଷ୍ଟ୍ରେଲିଆର ସିଡନୀ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କାନଭାସ୍ରେ ଲଗଇନ୍ ନ କରିବାକୁ ଚେତାବନୀ ଜାରି କରିଛି। ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହାକୁ ସେମିଷ୍ଟର ମଧ୍ୟରେ ଘଟିଥିବା ଏକ ଗୁରୁତର ବାଧା ବୋଲି କହିଛି। ଏହା ସହିତ ଆମେରିକାର ଆଇଡାହୋ ଷ୍ଟେଟ୍ ୟୁନିଭର୍ସିଟି ମଧ୍ୟ ଅପରାହ୍ନର ସମସ୍ତ ପରୀକ୍ଷା ବାତିଲ କରିଛି। ପେନ୍ ଷ୍ଟେଟ୍ ୟୁନିଭର୍ସିଟି ମଧ୍ୟ ଛାତ୍ରଛାତ୍ରୀଙ୍କୁ କାନଭାସ୍ରେ ପ୍ରବେଶ କରିବାରୁ ବିରତ ରହିବାକୁ ସୂଚନା ଦେଇଛି।
କାନଭାସ୍ ପ୍ଲାଟଫର୍ମ ପରିଚାଳନା କରୁଥିବା ଇନଷ୍ଟ୍ରକ୍ଚର କମ୍ପାନି କହିଛି ଯେ, ଅଧିକାଂଶ ସେବା ପୁନଃସ୍ଥାପିତ ହୋଇଥିଲେ ମଧ୍ୟ କିଛି ସ୍ଥାନରେ ଏବେବି ବାଧା ଜାରି ରହିଛି।




